ବୌଦ୍ଧ: କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ସାମଗ୍ରିକ ତଥା ନିରନ୍ତର ବିକାଶ ନେଇ ବ୍ୟାପକ ଆଲୋଚନା କରିବା ସହ ଏକାଧିକ ମୂଲ୍ୟବାନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଫୁଲବାଣୀ ଦେଇ ଗୋପାଳପୁର-ରେଢାଖୋଲ ରେଳଲାଇନ, ଉଡାନ ଯୋଜନା ଅଧୀନରେ ଆକାଶପଥରେ ଫୁଲବାଣୀକୁ ଯୋଡ଼ିବା, ଏନଏଚ-୫୯କୁ ଭଞ୍ଜନଗରରୁ କଳିଙ୍ଗାକୁ ପ୍ରସାରିତ କରିବା, କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ଦୁର୍ଗମ ଅଞ୍ଚଳଗୁଡ଼ିକୁ ଟେଲିକମ ସେବା ଯୋଗାଇଦେବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ । ଏହାଛଡ଼ା, ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାଇପଯୋଗେ ଜଳଯୋଗାଣ, ବିଦ୍ୟୁତ ଆଲୋକରୁ ବଞ୍ଚିତ ଗାଁ ଗୁଡ଼ିକର ବିଦ୍ୟୁତିକରଣ,ଜଳସେଚନ ଅଞ୍ଚଳ ବଢାଇବା, ଜୀବନଜୀବିକା, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ଅନ୍ୟ କ୍ଷେତ୍ରଗୁଡ଼ିକ ସଂପର୍କରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ଜିଲ୍ଲାର ବିକାଶ ପାଇଁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଜଳସେଚନ, କୃଷି,ଶିଳ୍ପ,ଏମଏସଏମଇ,ହସ୍ତଶିଳ୍ପ ଓ ବୟନ ଶିଳ୍ପ, ଉଚ୍ଚଶିକ୍ଷା %ଓ ଗବେଷଣା ଆଦି କ୍ଷେତ୍ର ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ଥାପନ କରିଛନ୍ତି । ଜଳସେଚନ ପାଇଁ ଖଡ଼ଗ ନଦୀ ଉପରେ ଗୁର୍ଜିମୁଣ୍ଡା(ଗମ୍ଭୀରାଗଦା) ଓ ସାରଙ୍ଗି ବାରାକ ନିର୍ମାଣ,ସାଲକି ଓ ବାଘ ବାରାକର ଆଧୁନିକିକରଣ, ଏମକେଏସୱାଇ, ଆରଆଇଡିଏଫ ଓ ଏମଜିଏନଆରଇଜିଏସ ସଂଯୋଗ ମାଧ୍ୟମରେ ପ୍ରସ୍ତାବିତ ଯୋଜନାଗୁଡ଼ିକର ରୂପାୟନ, ବୌଦ୍ଧ ଜିଲ୍ଲାକୁ ‘ହାଇ ଭ୍ୟାଲ୍ୟୁ ଅର୍ଗାନିକ ଫାର୍ମିଂ ଜୋନ’ ଭାବେ ଘୋଷଣା କରି ହଳଦି, ମିଲେଟ ଓ ଜଡ଼ିବୁଟି ଚାଷକୁ ପ୍ରୋତ୍ସାହନ, ବୌଦ୍ଧ ଅଞ୍ଚଳରେ ଖଲି/ଶିଆଳି ପତ୍ର, କନ୍ଧମାଳ ଖସି ଓ ଦେଶୀ କୁକୁଡ଼ା ପ୍ରସେସିଂ ୟୁନିଟ, ମିନର ଫରେଷ୍ଟ ପ୍ରଡକ୍ଟ ୟୁନିଟ ସ୍ଥାପନ, ଏମଏସଏମଇ କମନ ପ୍ୟାସିଲିଟି ସେଣ୍ଟର ସ୍ଥାପନ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ସେହିପରି, ବୌଦ୍ଧର ପାରମ୍ପରିକ ବୟନ ଶିଳ୍ପ (ହ୍ୟାଣ୍ଡଲୁମ ୱିଭିଂ)କଳା ଓ କୌଶଳକୁ ପୁନଃଜୀବନ ଦେବା ପାଇଁ ମେଗା ହ୍ୟାଣ୍ଡଲୁମ କ୍ଲଷ୍ଟର ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି । ବୟନ ଜ୍ୟୋତି ଓ ମାସ୍ ପ୍ରଡକ୍ସନ ବୟନ ଯୋଜନା ମାଧ୍ୟମରେ କାରିଗର ଓ ଶିଳ୍ପୀମାନେ ଆର୍ଥିକ ଓ ପାରଦର୍ଶୀ ସମର୍ଥନ ପାଇପାରିବେ । ବୌଦ୍ଧରେ ପଶୁ ସଂଚାର ଓ ଡାଏରୀ ବୈଷୟିକ କଲେଜ ସ୍ଥାପନ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା, ଶିକ୍ଷା ଓ ବୃତ୍ତିମୁଖୀ ଦକ୍ଷତାର ଅଭିବୃଦ୍ଧି ହୋଇପାରିବ ବୋଲି ସେ କହିଛନ୍ତି ।