ମୁଣ୍ଡିପଦର ପରେ ଶୁଣ୍ଢିପଦର : ମାସ୍କ ପରିଧାନ ଓ ସାମାଜିକ ଦୂରତା ନିୟମକୁ ଫୁ …..

ବୌଦ୍ଧ: ରାଜ୍ୟ ଓ କେନ୍ଦ୍ର ଖାଦ୍ୟ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ଚାଉଳ, ଗହମ, କିରୋସିନ ଓ ସହାୟତା ରାଶି ବଂଟନ ବେଳେ ସାମାଜିକ ଦୂରତା ପାଳନକୁ କେହି ମାନୁନଥିବା ଦେଖିବାକୁ ମିଳୁଛି । ଗତକାଲି ବୌଦ୍ଧବ୍ଲକ ମୁଣ୍ଡିପଦର ଗ୍ରାମପଞ୍ଚାୟତରେ ବିନା ମାସ୍କ ଓ ସାମାଜିକ ଦୂରତା ଉଲ୍ଲଂଘନ କରି ଯୋଗାଣ ସହାୟକ ଲୋକଙ୍କୁ ଖାଉଟି ସାମଗ୍ରୀ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା ।

ଆଜି ସକାଳେ ଠିକ୍‌ ସେହିପରି ଦୃଶ୍ୟ କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ଗ୍ରାମପଞ୍ଚାୟତରେ ଚାଉଳବଣ୍ଟନ ବେଳେ ଦେଖିବାକୁ ମିଳିଛି । ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଗ୍ରାମପଞ୍ଚାୟତମାନେ ଗାଁକୁ ଗାଁ ଯାଇ ଏସବୁ ଖାଉଟିମାନଙ୍କୁ ଦେବାକଥା ମାତ୍ର ଅନେକ ଗ୍ରାମପଞ୍ଚାୟତ ନିୟମ ନମାନି ପଞ୍ଚାୟତ କାର୍ଯ୍ୟାଳୟରେ ହିଁ ପ୍ରଦାନ କରୁଛନ୍ତି । ମାସ୍କ ପିନ୍ଧିବା କିମ୍ବା ସାମାଜିକ ଦୂରତା ଅବଲମ୍ବନ କରିବାକୁ ଏମାନେ ଲୋକଙ୍କୁ ପରାମର୍ଶ ଦେଉନଥିବା ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହାତଧୋଇବା ପାଇଁ ପାଣି, ସାବୁନ ଓ ସାନିଟାଇଜର କେହିବି ରଖୁନଥିବା ଦେଖିବାକୁ ମିଳୁଛି ।
ସାମାଜିକ ଦୂରତାକୁ କିଭଳି ପାଳନ କରାଯାଉଛି ସେ ସଂପର୍କରେ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜ କର୍ତ୍ତବ୍ୟକୁ ଠିକ୍‌ଭାବେ ପାଳନ କରୁନଥିବା ଅଭିଯୋଗ ହେଉଛି । ସଂପୃକ୍ତ ବ୍ଲକର ବିଡିଓମାନେ ଓ ଜିଲ୍ଲାପ୍ରଶାସନ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସଚେତନ ଲୋକଙ୍କୁ ବିସ୍ମିତ କରୁଛି ।

Comments (0)
Add Comment