ବିଜେଡି ସାଂସଦ ଓ ବିଧାୟକଙ୍କ ସମର୍ଥନ ଲୋଡିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ

ଭୁବନେଶ୍ୱର: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ନିଜ ସପକ୍ଷରେ ସମର୍ଥନ ଲୋଡି ଲଖନୌ ଫେରିଯାଇଛନ୍ତି । ସେଠାରୁ ସେ ଆଜି ମଧ୍ୟ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରୀମତି ମୁର୍ମୁ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ôଚବା ପରେ ତାଙ୍କୁ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଜୋରଦାର ସ୍ୱାଗତ କରାଯିବା ସହ ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନକୁ ଅଣାଯାଇଥିଲା । ଶ୍ରୀମତି ମୁର୍ମୁଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ପକ୍ଷରୁ ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ରର ଆୟୋଜନ କରାଯାଇଥିଲା । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ବିଜେଡି ପକ୍ଷରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନିରଞ୍ଜନ ପୂଜାରୀ, ବରିଷ୍ଠ ବିଧାୟକ ତଥା ବିଜେଡିର ଉପସଭାପତି ଦେବୀପ୍ରସାଦ ମିଶ୍ର, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ବାସନ୍ତୀ ହେମ୍ରମ, ଟୁକୁନୀ ସାହୁ ଓ ଡକ୍ଟର ସସ୍ମିତ ପାତ୍ର ପ୍ରମୁଖ ଭାବି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।

ଶ୍ରୀମତି ମୁର୍ମୁ ସେଠାରୁ ରାଜ୍ୟ ଅତିଥି ଭବନ ଯାଇ ସେଠାରେ କିଛି ସମୟ ବିଶ୍ରାମ କରିବା ପରେ ଦିନ ସାଢେ ୧୧ଟା ବେଳେ ବିଧାନସଭାକୁ ଆସିଥିଲେ । ସେଠାରେ ଶ୍ରୀମତି ମୁର୍ମୁ ପହଞ୍ôଚବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳୀୟ ବିଧାୟକ, ମନ୍ତ୍ରୀ, ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ପୁରୀ ସାଂସଦ ପିନାକୀ ମିଶ୍ର,ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳର ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ପ୍ରମୁଖ ତାଙ୍କୁ ବିଧାନସଭା ସମ୍ମିଳନୀ କକ୍ଷକୁ ଫୁଲତୋଡା ଦେଇ ପାଛୋଟି ନେଇଥିଲେ । ଏହା ପରେ ସମ୍ମିଳନୀ କକ୍ଷରେ ଶ୍ରୀମତି ମୁର୍ମୁ ଔପଚାରିକତା ମଧ୍ୟରେ ବିଜେଡିର ସମର୍ଥନ ଲୋଡିଥିଲେ । ଏହାପରେ ସେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆତିଥ୍ୟ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ପିନାକୀ ମିଶ୍ର ଓ ଶ୍ରୀମତି ମୁର୍ମୁଙ୍କ ସହ ରାଷ୍ଟ୍ରପତି ଭବନରୁ ଆସିଥିବା ବିଶିଷ୍ଠ ଅଧିକାରୀ ମଧ୍ୟାହ୍ନ ଭୋଜନ କରିଥିଲେ । ଏହା ପରେ ଶ୍ରୀମତି ମୁର୍ମୁ ଲଖନୌ ଅଭିମୁଖେ ଫେରିଯାଇଥିଲେ ।

Comments (0)
Add Comment