ବୌଦ୍ଧ,29/6 – ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମ ପଂଚାୟତର ଗୋଟିଏ ଗାଆଁକୁ ସଦ୍ୟ ବିବାହିତା ଜଣେ ନବ ବଧୂକୁ ଅପହରଣ ଉଦ୍ୟମ କରିବାକୁ ଆସିଥିବା 5 ଜଣ ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଛେଚିବା ଘଟଣା କୁଶଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l କୁଶଙ୍ଗ ଅଂଚଳର ଜଣେ ଯୁବକ ପଡୋଶୀ ନୟାଗଡ ଜିଲ୍ଲା ଗଣିଆଁ ନିକଟସ୍ଥ ଉଆଁଲପୁର୍ ଗ୍ରାମରେ ଗତ ଗୁରୁବାର ଦିନ ବିବାହ କରିଥିଲେ | ବିବାହ ସାରି କନ୍ୟାକୁ ଧରି ଘରକୁ ଫେରି ଶୁକ୍ରବାର ଦିନ ନିଜ ଘରେ ବନ୍ଧୁ ବାନ୍ଧବଙ୍କୁ ଭୋଜି ଦେଇଥିଲେ | ଭୋଜି ଚାଲିଥିବା ବେଳେ ଉଆଁଲପୁର୍ ଗ୍ରାମର 5 ଜଣ ଯୁବକ ଗୋଟିଏ କାର୍ ଯୋଗେ ଆସି ସନ୍ଦେହଜନକ ଅବସ୍ଥାରେ କୁଶଙ୍ଗ ଅଂଚଳର ସେହି ଗ୍ରାମରେ ବୁଲାବୁଲି କରୁଥିବା ତାଂକ ସହ ପରିଚିତ ଲୋକମାନେ ଦେଖିଥିଲେ l ନବ ବଧୂକୁ ତାଂକ ନିଜ ଗ୍ରାମର ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲା ଓ ତାର ସହଯୋଗୀ ମାନଂକ ସହ ଅପହରଣ କରିବାକୁ ଆସିଥିବା ଖବର ପ୍ରଚାରିତ ହେବା ପରେ ଉଆଁଲପୁର୍ ଗ୍ରାମରୁ ଆସିଥିବା 5 ଯୁବକଙ୍କୁ ଲୋକମାନେ ଗୋଡ଼େଇ ଧରି ଗୋଟିଏ ଗଛରେ ବାନ୍ଧି ପ୍ରବଳ ଛେଚିଥିଲେ l
ଗତକାଲି ଝିଅର ବାପା ମା ଓ ଅପହରଣ ଉଦ୍ୟମ କରିବାକୁ ଆସିଥିବା ଯୁବକଙ୍କ ଅଭିଭାବକ ମାନଙ୍କୁ ଡକାଇ କୁଶଙ୍ଗ ଅଂଚଳର ସମ୍ପୃକ୍ତ ଗ୍ରାମରେ ଏକ ବୈଠକ ବସିଥିଲା l ଝିଅ ସାରା ଜୀବନ ବାପ ଘରକୁ ଆଉ ଯିବ ନାହିଁ ବୋଲି କୁଆଡେ କନ୍ୟା ପିତା ମାତା ଏକ ଚୁକ୍ତିନାମା କରିବା ପରେ ଘଟଣାର ସମାଧାନ ହୋଇଥିବା ଜଣାପଡିଛି l