ନବରଙ୍ଗପୁର,୪/୮- ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପରିପକ୍ୱ ବୟସ ପୂର୍ବରୁ ମାତୃତ୍ୱ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା । ତେବେ ଜିଲ୍ଲାରେ ଏହିଭଳି କୁତ୍ସିତ ପ୍ରଥାର ବିଲୋପ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ୱେଷା ଅଭିଯାନ । ସମଗ୍ର ନବରଙ୍ଗପୁର ଜିଲ୍ଲାକୁ ୨୦୨୪ ମସିହା ସୁଧା ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ଏହି ଅନ୍ୱେଷା ଅଭିଯାନ ମାଧ୍ୟମରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ , ଶିଶୁ ସୁରକ୍ଷା ୟୁନିଟି , ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହକୁ ବନ୍ଦ କରାଯିବା ନିମନ୍ତେ ପ୍ରୟାସ ଜାରିରହିଛି । ବିଶେଷକରି ଗ୍ରାମ ଗୁଡିକରେ ଜାତି ସମାଜର ମୁଖିଆ , ସରପଞ୍ଚ, ୱାର୍ଡମେମ୍ବର ,ସ୍ୱଂସହାୟକ ଦଳ ମାନଙ୍କ ସହିତ ବାଲ୍ୟ ବିବାହର କୁପରିଣାମ ବୈଠକ , ବାଲ୍ୟବିବାହ ମୁକ୍ତ ଗ୍ରାମ ଗଠନ ଓ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ମାସର ସମସ୍ତ ଶନିବାର ଦିନ କିଶୋରୀ ମାନଙ୍କର ବୈଠକ କରାଯାଇ ନାବାଳିକା ବିବାହର କୁପରିଣାମ , ରକ୍ତ ହୀନତାର ମୁକାବିଲା , ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୋହସାର ବଟିକାକୁ କିଶୋରୀମାନେ ସେବନ କରିବାକୁ ଦିଆଯାଉଛି । ଏହାର ପ୍ରଭାବରେ ଗ୍ରାମ ଗୁଡିକରେ ଜାତି ସମାଜର ମୁଖିଆ , ସରପଞ୍ଚ ,ୱାର୍ଡମେମ୍ବର ,ସ୍ୱଂସହାୟକ ଦଳମାନେ ଜିଲ୍ଲାର ବିଭିନ୍ନ ଗ୍ରାମ ଗୁଡିକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ସିଡିପିଓଙ୍କ ଜରିଆରେ ଆବେଦନ କରିବାପରେ , ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲାର ମୋଟ ୨୮୧ଟି ଗ୍ରାମକୁ ଆନୁଷ୍ଠାନିକ ଭାବରେ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରିଛନ୍ତି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଗତବର୍ଷ ନଭେମ୍ବର ମାସରେ ୫ଟି ଗ୍ରାମ, ଚଳିତ ବର୍ଷ ଏପ୍ରିଲ ମାସରେ ୪୭ ଗ୍ରାମ , ମେ ମାସରେ ୩୬ ଗ୍ରାମ , ଜୁଲାଇ ମାସରେ ୮୪ ଟି ଓ ଅଗଷ୍ଟ ୧୦୯ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଅଦ୍ୟାବଧି ଘୋଷଣା କରାଯିଛି । ସେଥିମଧ୍ୟରୁ ପାପଡାହାଣ୍ଡି ବ୍ଲକ ରେ ୧୩୦ ଟି ଗାଁ ,ଝରିଗ୍ରାମ ବ୍ଲକ ରେ ୧୫ ଟି ଗାଁ , ନବରଙ୍ଗପୁର ବ୍ଲକ ରେ ୧୪ ଟି ଗାଁ ,ନନ୍ଦହାଣ୍ଡି ବ୍ଲକରେ ୭ଟିଗାଁ , କୋଷାଗୁମୁଡା ବ୍ଲକରେ ୧୪ଟି ଗାଁ , ଡାବୁଗ୍ରାମ ବ୍ଲକ ରେ ୧୬ଟି ଗାଁ , ଉମରକୋଟ ବ୍ଲକ ରେ ୩୯ ଟି ଗାଁ ଓ ରାଇଘର ବ୍ଲକ ରେ ୪୬ ଟି ଗାଁ ଗ୍ରାମ ଅନ୍ତର୍ଭୁକ୍ତ ଅଟେ ।