ନବରଙ୍ଗପୁର ସହରରେ ଆଧ୍ୟାତ୍ମିକ ବାତାବରଣ

ନବରଙ୍ଗପୁର: ମୌସୁମୀ ପ୍ରତ୍ୟାବର୍ତ୍ତନ କାଳୀନ ଉତ୍ତରା ପବନ ଶୀତଳ ବାୟୁ ପ୍ରଭାବରୁ ଶୀତୁଆ ପରିବେଶ ଓ ରାଜନୈତିକ ଦଳ ମାନଙ୍କ ଉଷ୍ମ ବାତାବରଣ ମଧ୍ୟରେ କାର୍ତ୍ତିକ ମାସର ପ୍ରାରମ୍ଭରୁ ମନ୍ଦିର ଭରା ସହର ନବରଂଗପୁର ଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସନାତନ ଧର୍ମାବଲମ୍ବୀ ହିନ୍ଦୁ ଧର୍ମର ଛଅ ଗୋଟି ଭାଗ ଯଥା ବୈଷ୍ଣବ, ଶୈବ, ଶାକ୍ତ, ବୌଦ୍ଧ, ଜୈନ ଓ ଶିଖମାନଙ୍କ ପାଇଁ ଏହି କାର୍ତ୍ତିକ ମାସ ଅତି ମହତ୍ତ୍ୱପୂର୍ଣ୍ଣ ଅଟେ । ଏହି ସମୟରେ ସମଗ୍ର ବିଶ୍ୱର ସନାତନ ଧର୍ମାବଲମ୍ବୀ ବିଭିନ୍ନ ମନ୍ଦିର, ମଠ, ତୀର୍ଥ ସ୍ଥଳ ଓ ଘରେ ଘରେ କାର୍ତ୍ତିକ ବ୍ରତ ପାଳନ କରିବା ଦେଖାଯାଇଥାଏ । ବିଭିନ୍ନ ମନ୍ଦିରରେ ପରିପୂର୍ଣ୍ଣ ନବରଂଗପୁର ସହର ଓ ଏହାର ଆଖପାଖ ଅଞ୍ଚଳ ଏହି ମାସର ପ୍ରାରମ୍ଭରୁ ବଡି ସକାଳୁ ଓ ସଂଧ୍ୟା ବେଳକୁ ଭଜନ କୀର୍ତ୍ତନ ହୁଳହୁଳି ଘଣ୍ଟ ତାଳ କାହାଳୀ କରତାଳି ଓ ନାମ ସଂକୀର୍ତ୍ତନ ମଧ୍ୟରେ ସରକାରଙ୍କ କୋଭିଡ୍‌ ନିୟମ ଅନୁସାରେ ମାସ୍କ ପିନ୍ଧି ଅତି ସୁନ୍ଦର, ଭାବପୂର୍ଣ୍ଣ ଓ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଝୁମି ଉଠୁଚି ।


ବଡ଼ି ଭୋରୁ ଶ୍ରଦ୍ଧାଳୁମାନେ ସାଢେ ପାଞ୍ଚଟାରେ ନବରଙ୍ଗପୁରର ସର୍ବପୁରାତନ ଶୈବ ପୀଠ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ଠାରେ ଜମା ହୋଇ ସକାଳ ଆଳତୀ ଦର୍ଶନ କରି ଛଅ ଘଣ୍ଟରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଳତୀ, ସେଇ ପ୍ରାଙ୍ଗଣରେ ମାଁ ମହାଲକ୍ଷ୍ମୀଙ୍କ ଆଳତୀ ସାରି ନିକଟରେ ଥିବା ଆରାଧ୍ୟା ଦେବୀ ମାଁ ଭଣ୍ଡାରଘରଣୀଙ୍କ ଆଳତୀ ଘେନି ସାଢେ ଛଅଟା ବେଳକୁ ଶ୍ରୀ ଚୈତନ୍ୟ ମନ୍ଦିର ଓ ମାତା ମାଁ ମଠରେ କୁଞ୍ଜବିହାରୀଙ୍କ ଆଳତୀ ଦର୍ଶନର ଅଭୁଲା ସ୍ନୃତି ପାଇ ପାରୁଛନ୍ତି । ଏହାଛଡା ରାଜୁସାହିସ୍ଥ ଶ୍ରୀ ଗଣେଶ ମନ୍ଦିର, ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର, ଘୋରମୁଣ୍ଡା ପୋଖରୀ ପାର୍ଶ୍ୱରେ ଥିବା ବାବା ଆଖଣ୍ଡଳମଣି ମନ୍ଦିର, ପୂଜାରିସାହିଠାରେ ଥିବା ଶ୍ରୀ ନୃସିଂହନାଥ ମନ୍ଦିର, ଗାଦବାଗୁଡ଼ା ଠାରେ ବାଳକୃଷ୍ଣ ମନ୍ଦିର, ଭଗବତୀ ସାହି ପାଖରେ ମୁଖ୍ୟ ସଡ଼କରେ ଥିବା ସତ୍ୟନାରାୟଣ ମନ୍ଦିର, ହନୁମାନ ମନ୍ଦିର, ଶ୍ରୀରାମ ମନ୍ଦିର, ତିରୁପତି ମନ୍ଦିର, ତାରିଣୀ ମନ୍ଦିର ସହର ଉପକଣ୍ଠରେ ଥିବା ରଙ୍ଗମଟିଗୁଡ଼ାଠାରେ କାଶି ବିଶ୍ୱନାଥ ମନ୍ଦିର, ଅନ୍ୟ ଦୁଇଟି ଶିବ ମନ୍ଦିର, ଲଳିତାଦେଇପୁର ଶାସନରେ ଥିବା ଲଳିତେଶ୍ୱର ଶିବ ମନ୍ଦିର ଇତ୍ୟାଦି ମନ୍ଦିର ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦୀପ ଜାଳି ଭଗବତ ଦର୍ଶନ କରି ପୂଣ୍ୟ ଅର୍ଜନ କରୁଛନ୍ତି । ବିଶେଷ କରି ସନ୍ଧ୍ୟା ସମୟରେ ସହରର ମଧ୍ୟଭାଗରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଓ ମାଁ ଭଣ୍ଡାରଘରଣୀ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ ସାରି ଫେରିବା ବେଳକୁ ସୁରୁଖୁରୁରେ ଯାନବାହାନ ଚଳାଚଳ ପାଇଁ ପୋଲିସ ଟ୍ରାଫିକ ପରିଚାଳନାରେ ରହି ଶ୍ରଦ୍ଧାଳୁ ଓ ଅନ୍ୟ ନାଗରିକ ମାନଙ୍କ ଯାତାୟାତ ପାଇଁ ସୁରୁଖୁରରେ ପରିଚାଳନା କରୁଛନ୍ତି । ଗତ ବର୍ଷ ଲକଡାଉନ୍‌ ଯୋଗୁଁ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା, କିନ୍ତୁ ଏ ବର୍ଷ କଟକଣାରେ ହେଲେ ମଧ୍ୟ ନିୟମ ଅନୁଯାୟୀ ଦୂରେଇ ରହି ଦର୍ଶନ ଲାଭ କରି ଆତ୍ମସନ୍ତୋଷ ଲାଭ କରୁଥିବା କିଛି ଭକ୍ତ ମତ ବ୍ୟକ୍ତ କରିଛନ୍ତି ।

Comments (0)
Add Comment