ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳାସ୍ତରୀୟ ଯୁବ ମହୋତ୍ସବ ପାଳିତ

ନବରଙ୍ଗପୁର,୨୧/୧୦- ନବରଙ୍ଗପୁର ଜିଲ୍ଳାର ଦଶଗୋଟି ବ୍ଲକରୁ ଆସିଥିବା ତିନିଶହ ଜଣ ଯୁବ ପ୍ରତିଭାଙ୍କୁ ନେଇ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ନବରଙ୍ଗପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ମାନନୀୟ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ଼ଃ ଚନ୍ଦ୍ରଶେଖର ହୋତା, ଅଧ୍ୟକ୍ଷ ଡଃ ଭାସ୍କର ନାଥ ବିଶ୍ୱାଳ, ସଂସ୍କୃତି ଅଧିକାରୀ ଘାସି ହରିଜନ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଶାରରୀକ ଶିକ୍ଷା ନିରୀକ୍ଷକ ବିଭାଶିସ ଦେ, ଜିଲ୍ଳା ଯୁବ ରେଡକ୍ରସ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ହୋତା ଯୋଗ ଦେଇ ଯୁବ ସମାଜକୁ ମାର୍ଗଦର୍ଶନ କରିଥିଲେ । ଯୁବ ସମାଜକୁ ଆହ୍ୱାନ ଦେଇ ମୁଖ୍ୟ ଅତିଥି କହିଲେ ଯେ “ଯୁବକ ମାନେ ଆତ୍ମନିର୍ଭରଶୀଳ ହେବା ସହ ନିଜେ ନିଜକୁ ପ୍ରଥମେ ଭଲ ପାଇଲେ ଯାଇ ଅନ୍ୟମାନେ ତୁମକୁ ଭଲ ପାଇପାରିବେ । ନେହୁରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବ ଅଫିସର ଶ୍ରୀଯୁକ୍ତ ବି. ରମେଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଯୁବକେନ୍ଦ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ । ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ ବକ୍ତବ୍ୟରେ ନିଜ ବ୍ୟକ୍ତିିତ୍ୱର ବିକାଶ ସହିତ କିଛି କିଛି ପ୍ରତିଭାର ବିକାଶ କାର୍ଯ୍ୟ କରିବାପାଇଁ ଆହ୍ୱାନ ଦେଇଥିଲେ । ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ନୀଳାଚଳ ମିଶ୍ର ନିଜ ବକ୍ତବ୍ୟ ପ୍ରଦାନ କରି ଏହିପରି କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟିସହ ଆଗାମୀ ଦିନରେ ଏକ ସଚେତନ ସମାଜ ପ୍ରତିଷ୍ଠା ପାଇଁ ସମସ୍ତେ ସହାୟକ ହୋଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ମାର୍ଗଦର୍ଶିକା ଅନୁସାରେ ବକ୍ତୃତା, ଚିତ୍ରାଙ୍କନ, ଫୋଟୋଗ୍ରାଫି, କବିତା ଲିଖନ, ଯୁବ ସମ୍ବାଦ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉତ୍ସବ ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟଅତିଥି ଓ ଅନ୍ୟତମ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମନୋହର ରନ୍ଧାରୀ, ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁରର ମାନ୍ୟବର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ଯୁବ ସମାଜ ଭିତରେ ଥିବା ପ୍ରତିଭା ଗୁଡିକର ବିକାଶ ହେଲେ ଯାଇ ଜିଲ୍ଳାର ସମସ୍ତ କ୍ଷେତ୍ରରେ ବିକାଶ ହେବା ସହ ଜିଲ୍ଲା ପାଇଁ ଗୌରବ ଆସିପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ମହାବିଦ୍ୟାଳୟର ଜାତୀୟସେବା ସଂସ୍ଥାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ମାନସୀ ମହାପାତ୍ର, ଅଧ୍ୟାପକ ଜାହାଙ୍ଗିର ମହମ୍ମଦ ଓ ଯୁବ ରେଡ଼କ୍ରସର କାଉନସିଲର ଅଧ୍ୟାପିକା ରଜନୀ ମିନଜ଼, ନିର୍ମଳା ହିକ୍କା, ଅଧ୍ୟାପକ ଅଶ୍ୱିନୀ କୁମାର ବେହେରା ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଶେଷରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଜାତୀୟ ସେବା ଯୋଜନାର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶମ୍ଭୁପ୍ରସାଦ ହୋତା ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିବାସହ ସାମ୍ପ୍ରତିକ ସ୍ଥିତିରେ ଯୁବ ସମାଜର ସ୍ଥିତି ଓ ବିକାଶ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବକେନ୍ଦ୍ରର ସମସ୍ତ ସ୍ୱେଚ୍ଛାସେବୀଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

Comments (0)
Add Comment