ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀଙ୍କୁ ଶିଶୁଙ୍କ ଟେକନିକାଲ ଶିକ୍ଷା ପାଇଁ ବୈଠକ

ନବରଙ୍ଗପୁର,୧୩/୭:- ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତା ଏବଂ ଶିଶୁମାନଙ୍କୁ ନେଇ ଟେକନିକାଲ ଶିକ୍ଷା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଟେକନିକାଲ ଶିକ୍ଷା ଉପରେ ଗୁରୁତ୍ୱ ଦେବା ସହିତ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଶିଶୁମାନଙ୍କୁ ଆଇଟିଆଇ ଏବଂ ପଲିଟେକନିକ ସ୍କୁଲରେ ପଢ଼ାଇବା ପାଇଁ ଉପଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା କର୍ମ ନିଯୁକ୍ତି ଅଧିକାରୀ ଆନନ୍ଦ କୁମାର ପଲେଇ ଟେକନିକାଲ ଶିକ୍ଷା ପଢିବା ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ଉପରେ କହିଥିଲେ । ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଳକ ଟେକନିକାଲ ଶିକ୍ଷାର ଗୁରୁତ୍ୱ ବିଷୟରେ କହିବା ସହିତ ଅନୁସୂଚିତ ଜାତି ଓ ଜନଜାତିର ଶିଶୁ ମାନଙ୍କ ଉଚ୍ଚ଼ ଶିକ୍ଷା ପାଇଁ ଥିବା ବୃତ୍ତି ବିଷୟରେ କହିଥିଲେ । ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ମଧ୍ୟ ଶିଶୁ ମାନଙ୍କୁ କିପରି ଟେକନିକାଲ ଶିକ୍ଷା ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଯାଇପାରିବ ସେଥିପାଇଁ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ମାନଙ୍କୁ ଧ୍ୟାନ ଦେବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଦଶମ ଶ୍ରେଣୀର ଅନ୍ତେବାସୀ ଏବଂ ଆନୁଷ୍ଠାନିକ ଯତ୍ନ ଅଧିକାରୀ କୁନିମୁନି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments (0)
Add Comment