ଜୀବଜନ୍ତୁଙ୍କ ନିଷ୍ଠୁରତା ନିରାକରଣ ସମ୍ପର୍କିତ ସଚେତନତା କର୍ମଶାଳା

ନବରଙ୍ଗପୁର,୪/୮:- ନବରଙ୍ଗପୁର ଜିଲ୍ଲାସ୍ତରୀୟ ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ୧୯୬୦ ସମ୍ପର୍କରେ ଏକ ଦିନିକିଆ ସଚେତନତା କର୍ମଶାଳା ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜୀବ ନିଷ୍ଠୁରତା ନିରୋଧ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ସଚେତନତା କର୍ମଶାଳାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ସଚେତନତା କର୍ମଶାଳାର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ପ୍ରାଣୀମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତା କିପରି ରୋକାଯାଇପାରିବ ଏବଂ ଜୀବେ ଦୟା ମନୋଭାବ ନେଇ ସମସ୍ତେ ସଚେତନ ହୋଇ ନିଜନିଜ ସ୍ତରରେ ଯତ୍ନବାନ ହୋଇ କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଗୋ ସୁରକ୍ଷା ନିମନ୍ତେ ଆବଶ୍ୟକ ଗୋ-ଶାଳ ନିର୍ମାଣ କରିବା ପାଇଁ ଇଚ୍ଛୁକ ଅନୁଷ୍ଠାନ ଆଗ୍ରହ ପ୍ରକାଶ କରି ଆବେଦନକଲେ ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକ ସହାୟତା ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଡଃ ମିଶ୍ର ସୂଚନା ଦେଇଥିଲେ । ବେଆଇନ ଗୋଚାଲାଣ ଓ ଅମାନବୀୟ ଗୋହତ୍ୟା ପ୍ରାଣୀ ସମାଜ ଉପରେ କିପରି କୁପ୍ରଭାବ ପକାଉଛି ଏବଂ ଏହାକୁ କିଭଳି ପ୍ରତିହତ କରାଯାଇପାରିବ ସେ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ରାଧେଶ୍ୟାମ ଲାଏକ୍‌ ଆଲୋକପାତ କରିଥିଲେ । ଡା. ସ୍ମିତାଶ୍ରୀ ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଚେତନତା କର୍ମଶାଳାର ମୁଖ୍ୟବକ୍ତା ସମୀର କୁମାର ପ୍ରଧାନ, ସମ୍ପାଦକ, ଉତ୍କଳ ଗୋଶାଳା ସମିତି ଜୀବଜନ୍ତୁ ନିରାକରଣ ଆଇନ୍‌ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ. ଦିଲୀପ କୁମାର କବିରାଜ କୋଡ଼ିଙ୍ଗା ପ୍ରାଣୀ ଚିକିତ୍ସକ ଡ଼ଃ. ସୁନୀଲ କୁମାର ନାୟକ, ନିର୍ବାହୀ ଅଧିକାରୀ ପୌରପାଳିକା ନବରଙ୍ଗପୁର ପ୍ରାଣନାଥ ସେଠ୍‌, ଜୀବେ ନିଷ୍ଠୁରତା ସମିତିର ସଭ୍ୟବୃନ୍ଦ ଯୋଗଦେଇଥିଲେ । ଶେଷରେ ଏଡିଭିଓ ଡ଼ଃ. ଦିଲ୍ଲିପ କୁମାର କବିରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment