୯୮ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ

ନବରଙ୍ଗପୁର,୩/୩- ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପରିପକ୍ୱ ବୟସ ପୂର୍ବରୁ ମାତୃତ୍ୱ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା । ତେବେ ଜିଲ୍ଲାରେ ଏହିଭଳି କୁତ୍ସିତ ପ୍ରଥାର ବିଲୋପପାଇଁ ଜିଲ୍ଲାପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅନ୍ୱେଷା ଅଭିଯାନ । ସମଗ୍ର ନବରଙ୍ଗପୁର ଜିଲ୍ଲାକୁ ୨୦୨୪ ମସିହା ସୁଧା ବାଲ୍ୟବିବାହମୁକ୍ତ ଜିଲ୍ଲାଭାବରେ ପରିଗଣିତ କରିବାପାଇଁ ଏହି ଅନ୍ୱେଷା ଅଭିଯାନ ମାଧ୍ୟମରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ବାଲ୍ୟବିବାହକୁ ବନ୍ଦ କରାଯିବା ନିମନ୍ତେ ପ୍ରୟାସ ଜାରିରହିଛି । ବିଶେଷକରି ଗ୍ରାମ ଗୁଡିକରେ ଜାତି ସମାଜର ମୁଖିଆ, ସରପଂଚ, ୱାର୍ଡମେମ୍ବର, ସ୍ୱୟଂସହାୟକ ଦଳ ମାନଙ୍କ ସହିତ ବାଲ୍ୟ ବିବାହର କୁପରିଣାମ ବୈଠକ, ବାଲ୍ୟବିବାହମୁକ୍ତ ଗ୍ରାମ ଗଠନ ଓ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ମାସର ସମସ୍ତ ଶନିବାର ଦିନ କିଶୋରୀ ମାନଙ୍କର ବୈଠକ କରାଯାଇ ନାବାଳିକା ବିବାହର କୁପରିଣାମ, ରକ୍ତହୀନତାର ମୁକାବିଲା, ଘରୋଇ ହିଂସା ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୌହସାର ବଟିକାକୁ କିଶୋରୀମାନେ ସେବନ କରିବାକୁ ଦିଆଯାଉଛି । ଏହାର ପ୍ରଭାବରେ ଗ୍ରାମଗୁଡିକରେ ଜାତି ସମାଜର ମୁଖିଆ, ସରପଞ୍ଚ, ୱାର୍ଡମେମ୍ବର, ସ୍ୱୟଂସହାୟକ ଦଳମାନେ ଜିଲ୍ଲାର ବିଭିନ୍ନ ଗ୍ରାମଗୁଡିକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିବାପାଇଁ ଜିଲ୍ଲାପାଳଙ୍କୁ ସିଡିପିଓଙ୍କ ଜରିଆରେ ଆବେଦନ କରିବାପରେ, ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଜିଲ୍ଲାର ମୋଟ ୯୮ ଟି ଗ୍ରାମକୁ ଆନୁଷ୍ଠାନିକ ଭାବରେ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରିଛନ୍ତି । ଏହି ଗ୍ରାମ ଗୁଡିକ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକର ୧୦ଟି ଗ୍ରାମ, ଡାବୁଗାଁ ବ୍ଲକର ୨୨ଟି ଗ୍ରାମ, ଝରିଗାଁ ବ୍ଲକର ୪୭ ଟି ଗ୍ରାମ, କୋଷାଗୁମୁଡା ବ୍ଲକରେ ୪ ଟି ଗାଁ, ନନ୍ଦାହାଣ୍ଡି ବ୍ଲକରେ ୬ଟି ଗାଁ , ଉମରକୋଟ ବ୍ଲକରେ ୯ ଟି ଗ୍ରାମ ଅନ୍ତର୍ଭୁକ୍ତ ଅଟେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତାଙ୍କ କହିବା ଅନୁଯାୟୀ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଆଜିପର୍ଯ୍ୟନ୍ତ ୩୫୦ଟି ରାଜସ୍ୱ ଗ୍ରାମ ଓ ୩୪୩ ପଡାଗ୍ରାମକୁ ମିଶାଇ ମୋଟ ୬୯୩ ଗ୍ରାମକୁ ପ୍ରଶାସନ ତରଫରୁ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରାଯାଇଛି ।

Comments (0)
Add Comment