ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

ନବରଙ୍ଗପୁର,୧୦/୧୧- ନବରଙ୍ଗପୁର ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ମାଣ୍ଡିଆ ଦିବସ ପାଳନ ଅବସରରେ ମାଣ୍ଡିଆ ପ୍ରସ୍ତୁତି ଦ୍ରବ୍ୟଗୁଡିକ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି. ଭେଙ୍କଟେ ରେଡିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନନୀୟ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ମାଣ୍ଡିଆ ଖାଇ ସୁସ୍ଥ ରହିବାପାଇଁ ଆହ୍ୱାନ ଦେଇଥିଲେ । କର୍ମଶାଳାରେ ସଭାପତିତ୍ୱ କରି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଭାସ୍କରନାଥ ବିଶ୍ୱାଳ ମାଣ୍ଡିଆ ଦିବସର ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବାସହ ପିଲାମାନଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଳା ଯୁବ ରେଡକ୍ରସ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ହୋତା ଯୋଗଦେଇ ଯୁବ ସମାଜକୁ ମାଣ୍ଡିଆ ଦିବସ ନିଶ୍ଚିତ ଭାବେ ଆଗାମୀ ଆଞ୍ଚଳିକ ଅର୍ଥନୀତିକୁ ସଜାଡିବାରେ ସହାୟକ ହେବାପାଇଁ ମାର୍ଗଦର୍ଶନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରି ବରିଷ୍ଠ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା କର୍ମଶାଳାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶା ମିଲେଟ ମିଶନର କର୍ମକର୍ତ୍ତାମାନେ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ସାତଗୋଟି ଦ୍ରବ୍ୟ ତିଆରିକରି ଛାତ୍ର ଛାତ୍ରୀଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ଏହି କର୍ମଶାଳାରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିଥିଲେ ଜିଲ୍ଳା ସଂଯୋଜକ ମୃତ୍ୟୁଞ୍ଜୟ ଖଣ୍ଡପାନ, ବ୍ଲକ ସଂଯୋଜକ କୈଳାସ ଚନ୍ଦ୍ର ମହାପାତ୍ର ଓ ଶପଥ ନାୟକ, ଶ୍ରୀତମ ମହାପାତ୍ର ସି ଇ ଓ, ହିମାଂଶୁ ତୁରୁକ ଜିଲ୍ଲା ଏକାଉଣ୍ଟେଣ୍ଟ । ସ୍ୱତନ୍ତ୍ର ଭାବେ ଦ୍ରବ୍ୟ ପ୍ରସ୍ତୁତି କରିଥିଲେ ମିଲେଟ ପ୍ରଶିକ୍ଷିକା ସସ୍ମିତା ବଲବନ୍ତରାଏ । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ସମସ୍ତ ସ୍ୱେଚ୍ଛାସେବୀଙ୍କ ସହ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

Comments (0)
Add Comment