ଓକିଲ ସଂଘ ନିର୍ବାଚନ : ସଭାପତି ହେବେ ନରସିଂହ

ନବରଙ୍ଗପୁର,୭/୩- ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ ଦାଖଲର ଅନ୍ତିମ ଦିବସରେ ନରସିଂହ ତ୍ରିପାଠୀ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ନାମାଙ୍କନର ଅନ୍ତିମ ଦିବସ ସୁଦ୍ଧା କେବଳ ଜଣେମାତ୍ର ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟପକ୍ଷରେ ଅନ୍ୟାନ୍ୟ ପଦ ପଦବୀ ପାଇଁ ୯ ଜଣ ପ୍ରତିଦ୍ୱନ୍ଦୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ନାମାଙ୍କନ ପ୍ରକ୍ରିୟା ୭ ତାରିଖ ଦିନ ୨ ଘଣ୍ଟା ସମୟରେ ଶେଷ ହୋଇଥିଲା । ପ୍ରଥମ ଦିବସରେ ବରିଷ୍ଠ ଆଇନଜୀବୀ ନରସିଂହ ନାଥ ତ୍ରିପାଠୀ ସଭାପତି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବାବେଳେ ସମ୍ପାଦକ ପଦବୀ ପାଇଁ ରାମ ପ୍ରସାଦ ପାତ୍ର , ଉପ ସଭାପତି ପାଇଁ ଦାମୋଦର ତ୍ରିପାଠୀ ଏବଂ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ସନ୍ତୋଷ କୁମାର ନାୟକ ନିଜ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ଗହଣରେ ନାମାଙ୍କନ ଦାଖଲ କରିଥିଲେ । ଅନ୍ତିମ ଦିବସରେ ଉପସଭାପତି ପଦବୀ ପାଇଁ ବିଧୁଶେଖର ତ୍ରିପାଠୀ , ସମ୍ପାଦକ ପଦବୀ ପାଇଁ ତପନ କୁମାର ସିଂ , ଯୁଗ୍ମ ସମ୍ପାଦକ ପଦବୀରେ ସଦାଶିବ ସାହୁ ଓ ଅନିଲ ଦୀନବନ୍ଧୁ ,କୋଷାଧ୍ୟକ୍ଷ ପଦବୀରେ ସୂରଜ କୁମାର ନାୟକ ଓ ବାଲାଜୀ ପ୍ରସାଦ ମିଶ୍ର ନାମାଙ୍କନ ଦାଖଲ କରିଥିଲେ । ଏହି ନିର୍ବାଚନକୁ ସଂଘର ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର ( ମୂରଲୀ ) ପରିଚାଳନା କରୁଥିବାବେଳେ ସହକାରୀ ନିର୍ବାଚନ ଅଧିକାରୀ ରୂପେ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଏବଂ କେ ଚନ୍ଦ୍ରଶେଖର ରାଓ ଦାୟିତ୍ୱ ନିର୍ବାହ କରୁଛନ୍ତି । ୯ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ , ୧୧ ତାରିଖ ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର, ୨୬ ତାରିଖ ଦିନ ଭୋଟ ଗ୍ରହଣ , ଗଣନା ଓ ଫଳାଫଳ ଘୋଷଣା ପାଇଁ ଦିବସ ଧାର୍ଯ୍ୟ କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ମୂରଲୀ ସୂଚନା ଦେଇଛନ୍ତି ।

Comments (0)
Add Comment