ନବରଙ୍ଗପୁର,୨୪/୪: ବୁଲଡୋଜର ଲଗାଇ ଆକ୍ସନ ମୁଡ୍ରେ କାର୍ଯ୍ୟ ଆରମ୍ଭ କରିଛନ୍ତି ୱାର୍ଡନମ୍ବର ୧୬ର ନବ ନିର୍ବାଚିତ କାଉନସିଲର ଅମିତ ପ୍ରଧାନ । ଦୀର୍ଘ ବର୍ଷ ଧରି ସହରର ସବୁଠୁ ଅଧିକ ଭୋଟର ଥିବା ଏହି ବଡ ୱାର୍ଡକୁ ପୌର ପରିଷଦ ପକ୍ଷରୁ ଅବହେଳା ହୋଇ ଆସୁଥିବା ଅଭିଯୋଗ ହେଉଥିଲା । ଏହାର ସୁଯୋଗ ନେଇ ବିଜେପି ପ୍ରାର୍ଥୀ ଅମିତ ପ୍ରଧାନ ନାଳନର୍ଦ୍ଦମା ସଫା ଓ ପୁନରୁଦ୍ଧାର, ପକ୍କା ରାସ୍ତା ଓ ପିଇବା ପାଣି ଯୋଗେଇ ଦେବା ପ୍ରତିଶ୍ରୁତି ଦେଇ ଲୋକଙ୍କ ପ୍ରିୟପାତ୍ର ହୋଇ ବିପୁଳ ବ୍ୟବଧାନରେ ଜିତିଥିଲେ । ଏହି ପ୍ରତିଶ୍ରୁତି ରକ୍ଷାକରି ସେ କାମ ଆରମ୍ଭ କରିଛନ୍ତି । ପୌର କାର୍ଯ୍ୟାଳୟରେ ସଫେଇ କର୍ମଚାରୀଙ୍କ ଅଭାବ ଯୋଗୁଁ ସଫେଇ କାର୍ଯ୍ୟ ବାଧା ପ୍ରାପ୍ତ ହେଉ ଥିବାରୁ ସେ ବୁଲଡୋଜର ଲଗେଇ କାମ କରୁଛନ୍ତି । ଏହି ସପ୍ତାହ ମଧ୍ୟରେ ତିନିଥର କାଳବୈଶାଖୀ ବର୍ଷା ଯୋଗୁଁ ବିଭିନ୍ନ ସାହିରେ ନର୍ଦ୍ଦମା ପାଣି ରାସ୍ତା ଉପରେ ବୋହିବାରେ ଲାଗିଥିଲା । ଏହା ପରେ ୱାର୍ଡ଼ର ପଠାଣ ସାହି, ତପୋବନ ସାହି, ଗାନ୍ଧୀ ଛକ ଚତୁଃପାର୍ଶ୍ୱ , ସାପ୍ତାହିକ ହାଟ ଦୁଇପାର୍ଶ୍ୱରେ ଥିବା କଣ୍ଟା ଚିଲି ଗଛ ଓ ନାଳ ସଫେଇ କରିଛ଼ନ୍ତି । ଏହି ନାଳ ସଫେଇ ଯୋଗୁଁ ଲୋକେ ଆଶ୍ୱସ୍ତି ପ୍ରକଟ କରିଛନ୍ତି । ଲୋକେ ଖୁସି ହୋଇ କହୁଛନ୍ତି ଉତ୍ତର ପ୍ରଦେଶରେ ବୁଲଡୋଜର ଯୋର ଏବେ ଆମ କାମରେ ଲାଗିଲା । ଅମିତଙ୍କ କହିବା ଅନୁଯାୟୀ ମୁଁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ଆଗ ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରୟାସ କରିବି , ତାପରେ ଯାହା ନୀତି ଓ ରାଜନୀତି । ସହରର ସବୁଠି ତାଙ୍କରି ଏପରି କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।