ସାମ୍ବାଦିକଙ୍କୁ ଆକ୍ରମଣର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଓଜେୟୁ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନବରଙ୍ଗପୁର,୨୧/୨- ନବରଙ୍ଗପୁର ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ତରଫରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ୨୦ ତାରିଖରେ ଯାଜପୁର ଜିଲ୍ଳା ବିଞ୍ଜାରପୁର ଅଞ୍ଚଳରେ ଚାରିଜଣ ସାମ୍ବାଦିକଙ୍କୁ ଆକ୍ରମଣ ସହିତ ଜଣେ ସାମ୍ବାଦିକଙ୍କୁ ଅପହରଣ ଘଟଣା ସଂପର୍କରେ ଆଇନ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାମ୍ବାଦିକ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଏହାସହିତ ଗତ ୧୬ ଓ ୧୮ ତାରିଖ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ସଇଁତଳା ବ୍ଲକର ଭୂଷକିମାଳ , କଟକ ଜିଲ୍ଲାର ସଦର ଅଞ୍ଚଳ ଚାନ୍ଦବାଲି ପୁରୀ ଜିଲ୍ଲାର କଣାସ ଓ ପିପିଲି ଏପରି ଅନେକ ସ୍ଥାନରେ ଅନେକାଂଶରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ପ୍ରତିବାଦ କରିବା ଦିଗରେ ପୋଲିସ ଓ ପ୍ରଶାସନର ଢିଲା କାର୍ଯ୍ୟ ବ୍ୟବସ୍ଥା ଲୋକଲୋଚନକୁ ଆସିଚି । ଗଣତନ୍ତ୍ରର ସଂଘୀୟ ବ୍ୟବସ୍ଥାକୁ ସୁଦୃଢ କରିବା ପଥରେ ସାମ୍ବାଦିକମାନେ ଅଗସର ହୋଇ ସରକାରଙ୍କ ବିଧବଦ୍ଧ ବ୍ୟବସ୍ଥାକୁ ସହଯୋଗ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି । ତେଣୁ କ୍ଷେତ୍ର ସ୍ଥଳରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଚଳିତ ନିର୍ବାଚନ ସମୟରେ ଆକ୍ରମଣ, ହିଂସା ଓ ପ୍ରତିହିଂସା ଭିଆଇଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାପାଇଁ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ତରଫରୁ ଦାବି କରାଯାଇଛି । ଆଜି ଓଜେୟୁ ନବରଙ୍ଗପୁର ତରଫରୁ ସଂଘର ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ଉପ ସଭାପତି ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଜ୍ୟୋତି ପ୍ରକାଶ ଦାଶ, କୋଷାଧ୍ୟକ୍ଷ ଶିବ ଶଙ୍କର ତ୍ରିପାଠୀ, ଉପ ସଭାପତି ଜାନକୀକାନ୍ତ ବିଷୋୟୀ, ବେଣୁଗୋପାଳ ରାଓ, ପର୍ବିନ ଗୁପ୍ତା, ଶିଶିର ଖୋରା, ଖଗେଶ୍ୱର ବିଷୋୟୀ, ଜିତେନ୍ଦ୍ର କାନୁନଗୋ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

Comments (0)
Add Comment