କାଦପଡାରେ ନଳକୂପ ଅଚଳ, ସାହିବାସିନ୍ଦା ପାଣି ପାଇଁ ହନ୍ତସନ୍ତ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଅଧିନ କାଦପଡା ଗ୍ରାମରେ ଏକ ନଳକୂପ ଅଚଳ ହୋଇଯାଇଛି । ନଳକୂପଟି ଅଚଳ ହେବା ପରେ ସାହିବାସିନ୍ଦା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇସ୍କୁଲ ନିକଟ ସାହିରେ ଥିବା ନଳକୂପଟି ମାସେ ହେଲାଣି ଅଚଳ ହୋଇଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏନେଇ ସାହିବାସିନ୍ଦା ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଫଳ କିଛି ମିଳିନି । ସାହିର ଜଣେ ବାସିନ୍ଦା କହିଛନ୍ତି ଯେ, ନଳକୂପରୁ ଗୋଟିଏ ବାଲ୍‌ଟି ପାଣିସଂଗ୍ରହ କରିବାକୁ ହେଲେ ପାଖାପାଖି ଘଣ୍ଟେଏ ସମୟ ଲାଗୁଛି । ଏବେ ଖରାଦିନ ହୋଇଥିବାରୁ ନଳକୂପ ଉପରେ ଆମେ ପୁରାପୁରି ନିର୍ଭରଶୀଳ । ତେଣୁ ନଳକୂପଟିକୁ ଯଥାଶୀଘ୍ର ମରାମତି କରାଯାଉ ବୋଲି ସେ କହିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାହିବାସିନ୍ଦା ଦାବି କରିଛନ୍ତି ।

Comments (0)
Add Comment