ନନ୍ଦାହାଣ୍ଡି,୧୯/୧୧- ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତିନି ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଭୁବନେଶ ନାୟକଙ୍କ ନେତୃତ୍ୱରେ ଡଙ୍ଗରଭେଜା ଚନ୍ଦ୍ରଶେଖର ଶିବ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ନାରାଦେଇ ବ୍ଲକ ଅଫିସରେ ପହଞ୍ଚିଥିଲେ ଏବଂ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ବେହେରାଙ୍କୁ ପ୍ରଦାନ କରିଥିଲେ । ନୂତନ ପେନସନ ଯୋଜନା ଉଚ୍ଛେଦ, ପୂର୍ବର ଛଅ ବର୍ଷ ଦରମା ଏହି ଦରମା ସହିତ ମିଶାଯାଉ ଓ କେନ୍ଦ୍ର ଦରମା ଲାଗୁ କରାଯାଉ ପ୍ରମୁଖ ତିନୋଟି ଦାବି ରଖିଥିଲେ । ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ରଶ୍ମିତା ମାଝୀ ଓ ଜିଲ୍ଳା ପରିଷଦ ସଭ୍ୟ ଦିବ୍ୟଦାନ ସୁନାଙ୍କୁ ମଧ୍ୟ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ଯାହା ନିର୍ଦ୍ଦେଶ ଦିଆଯାଉଛି ସମସ୍ତ ଜିନିଷ ପାଳନ କରୁଛୁ ପ୍ରଥମରୁ କମ ଦରମା କାର୍ଯ୍ୟ କରି ଆସୁଛୁ ଆମକୁ ସରକାର ଅନେକ ଅବହେଳା କରୁଛନ୍ତି । ଯଦି କୌଣସିି ପଦକ୍ଷେପ ନ ନିଆଯାଏ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ସଂଘର କାର୍ଯ୍ୟକାରୀ ସଂପାଦକ ମଧୁସୂଦନ ହରିଜନଙ୍କ ସହ ୧୨୦ ଜଣ ଶିକ୍ଷକ ଯୋଗ ଦେଇଥିଲେ ।