ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଗଜପତି (ହୀ.ପ୍ର.) ଗଜପତିରେ ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଦିବସରେ ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା, ବ୍ରହ୍ମପୁର ପରିସଂଖ୍ୟାନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ କୁଳମଣୀ ରାଉତ ଓ ଗଜପତି ପରିସଂଖ୍ୟାନ ବିଭାଗର ସହକାରୀ ଉପନିର୍ଦ୍ଦେଶକ ପ୍ରକାଶ ରାଉତ, ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଅର୍ଥନୈତିକ ଅଧ୍ୟାପକ ସଞ୍ଜୟ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ ।

ସାମାଜିକ, ଅର୍ଥନୈତିକ ଢାଞ୍ଚା ଓ ନୂତନ ନୀତି ପ୍ରସ୍ତୁତ କରିବାରେ ପରିସଂଖ୍ୟାନର ମହତ୍ତ୍ବ ସମ୍ପର୍କରେ ସଚେତନତା ପ୍ରସାର ଆଣିବା ପାଇଁ ପ୍ରତିବର୍ଷ ଜୁନ ୨୯ ତାରିଖକୁ ‘ଜାତୀୟ ପରିସଂଖ୍ୟାନ ଦିବସ’ ଭାବେ ପାଳନ କରାଯାଉଛି । ସ୍ବାଧୀନ ଭାରତର ପ୍ରଥମ ଯୋଜନା ଆୟୋଗର ସଦସ୍ୟ ତଥା ଜାତୀୟ ପରିସଂଖ୍ୟାନ ପ୍ରତିଷ୍ଠାତା ସ୍ବର୍ଗତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ସ୍ମୃତିରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇ ଆସୁଛି । ଭାରତୀୟ ପରିସଂଖ୍ୟାନର ଜନକ ଭାବେ ପରିଚିତ ପ୍ରଫେସର ମହାଲାନୋବିସ ପ୍ରଶିକ୍ଷଣରେ ଜଣେ ପଦାର୍ଥ ବିଜ୍ଞାନୀ,ଜଣେ ପରିସଂଖ୍ୟାନବିତ୍ତ୍ ଓ ଜଣେ ଯୋଜନା ପ୍ରସ୍ତୁତକାରୀ ଥିଲେ ।

ଦେଶର ପରିସଂଖ୍ୟାନ ଓ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ୨୦୦୭ ମସିହାରୁ ତାଙ୍କ ଜନ୍ମ ଦିବସକୁ ଜାତୀୟ ପରିସଂଖ୍ୟାନ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଜାତୀୟ ପ୍ରଗତିରେ ସରକାରୀ ପରିସଂଖ୍ୟାନର ଭୂମିକାକୁ ଲୋକଲୋଚନକୁ ଆଣିବା ଲାଗି ସେମିନାର, ଆଲୋଚନାଚକ୍ର ଓ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ ଆସୁଛି । ପରିସଂଖ୍ୟାନ ଅଧ୍ୟୟନ କରିବା ଓ ଦୈନନ୍ଦିନ ଜୀବନର ବିଭିନ୍ନ ପ୍ରସଙ୍ଗରେ ତାହାକୁ ପ୍ରୟୋଗ କରିବା ଲାଗି ଏହି ଦିବସ ଯୁବ ପିଢ଼ିକୁ ପ୍ରେରଣା ଯୋଗାଇଥାଏ।

ସେହିପରି ଏହି ଦିବସ ପାଳନ ଦ୍ବାରା , କୃଷି ସମ୍ପର୍କିତ ରିପୋର୍ଟିଂ, ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା, ମୂଲ୍ୟ ନିର୍ଦ୍ଧାରଣ,ଜାତୀୟ ନମୁନା ସର୍ବେକ୍ଷଣ,କୃଷି ଜନଗଣନା ଓ କ୍ଷୁଦ୍ର ଜଳସେଚନ ଗଣନା ଭଳି ବିଭିନ୍ନ ଯୋଜନା ବିଭାଗ ଦ୍ଵାରା କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସଞ୍ଜୟ କୁମାର ଦଳେଇଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ପରିସଂଖ୍ୟାନ ବିଭାଗ, ବ୍ଲକ୍ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

breaking newsgajapati newsodia newsodisha news
Comments (0)
Add Comment