ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ସବୁ ପ୍ରତିଶ୍ରୁତି ପୂରଣ ହେବ

ଭୁବନେଶ୍ୱର : ପଦ୍ମପୁର ଉପ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଭିଡିଓ ବାର୍ତ୍ତାରେ କହିଛନ୍ତି ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ଏବଂ ଏହି ଅଭୂତପୂର୍ବ ବିଜୟ ପାଇଁ ଧନ୍ୟବାଦ । ଏହା ଆଉ କାହାର ବିଜୟ ନୁହେଁ । ଏହା ପଦମପୁରବାସୀଙ୍କ ବିଜୟ ।
ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।ଆପଣମାନେ ବହୁତ ଠିକଭାବରେ ଓ ନିଷ୍ଠାର ସହ କାମ କରିଛନ୍ତି । ସରକାରଙ୍କ ଭଲ ଭଲ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ରଖିଛନ୍ତି ଓ ବିରୋଧୀ ଦଳର ସବୁ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି ।
କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ନିର୍ବାଚନରେ ଯାଇ ନ ଥିଲେ, ବିଭିନ୍ନ ବାଇ-ଇଲେକ୍‌ସନରେ ବି ଯାଇ ନ ଥିଲେ, ଏ ପଦ୍ମପୁର ଇଲେକ୍‌ସନରେ କାହିଁକି ଗଲେ ? ମୁଁ କହିବାକୁ ଚାହୁଁଛି ଯେଭଳି ଭାବରେ ଜଣେ ମହିଳାଙ୍କୁ, ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା । ମୁଁ ଭାବୁଛି, ଏହା କେବଳ ମୋ ପାଇଁ ଦୁଃଖ ନୁହେଁ । ଓଡିଶାର ସବୁ ମହିଳା ମାନଙ୍କ ପାଇଁ ଦୁଃଖର କଥା ।
ରାଜନୀତିରେ ହାରିବା ଓ ଜିତିବା, ଇଲେକସ୍‌ନ ଲଢିବା ଅଲଗା କଥା । କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ । ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷା ସିଂ ପାଖରେ ଠିଆ ହେବି – ଜଣେ ବାପା ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି । ବାପା ହରାଇଥିବା ବର୍ଷା ସାଙ୍କରେ ଠିଆ ହେବି ।


ମୁଁ ବିରୋଧୀ ଦଳକୁ – ରାଜ୍ୟର ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି ଯେ, ରାଜନୀତି କରିବା ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡିଶାବାସୀ ସମର୍ଥନ କରିବେ ନାହିଁ ।ଆଜି ନୁହେଁ……ସଦା ବେଳେ ।
ଆଉ ଗୋଟେ ଗୁରୁତ୍ୱପର୍ଣ୍ଣ କଥା ହେଲା – କେନ୍ଦ୍ର ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀମାନେ ଓଡିଶାବାସୀଙ୍କୁ, ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ । ସେ ଆବାସ ଯୋଜନା ହେଉ, ବା କେନ୍ଦୁପତ୍ରର ଜିଏସଟି ହେଉ, ବା ଫସଲ ବୀମାର ବିଳମ୍ବ ହେଉ, ଏମଏସପି ପ୍ରସଙ୍ଗ ହେଉ, ବା ରେଲ କନେକ୍ଟଭିଟି ହେଉ, …ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଠିକ୍‌? ନୁହେଁ । ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ । ମିଶିକରି ଲୋକଙ୍କ ମଙ୍ଗଳ ପାଇଁ କାମ କରିବା । ଓଡିଶାର ଉନ୍ନତି ପାଇଁ କାମ କରିବା ।
ଆଜି ମୁଁ ପଦ୍ମପୁରବାସୀଙ୍କ ପାଖରେ ଋଣୀ । ବିନମ୍ରତାର ସହ କହିବାକୁ ଚାହେଁ ଯେ ଆପଣମାନଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ । ଆଉ ଥରେ ସମସ୍ତଙ୍କୁ ଜୁହାର । ମୁଁ ବହୁତ ଶୀଘ୍ର ପଦ୍ମପୁରକୁ ଆସିବି । ଆପଣମାନଙ୍କର ଆଶୀର୍ବାଦ ନେବି ।
ସୂଚନାଯୋଗ୍ୟ ଯେ, ପଦ୍ମପୁର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ହଜାରରୁ ଉଦ୍ଧ୍ୱର୍ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇଛନ୍ତି ।

Comments (0)
Add Comment