ସରକାରଙ୍କ ଶହେ ଦିନ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ବିକାଶମେଳା ଉଦଘାଟିତ

ବୌଦ୍ଧ,୨୧/୯:- ଆଜି ସ୍ଥାନୀୟ କଚେରୀ ପଡ଼ିଆଠାରେ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଓ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଏହି ମେଳାକୁ ଫିତାକାଟି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ସରକାରୀଦଳର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ ।

ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମଞ୍ଚ କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରଭୁଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସରକାରଙ୍କ ଶହେବର୍ଷ ପୂର୍ତ୍ତି ଅବସରରେ ଅତିଥିମାନେ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ କହିବାସହ ବିକାଶଧାରାକୁ କିପରି ଆହୁରି ଆଗକୁ ନେଇପାରିବେ ସେଥିପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି ହେବା, ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା, ଆୟୁଷ୍ମାନ ଯୋଜନା ଲାଗୁହେବା କଥା କହିଥିଲେ । ପୂର୍ବ ସରକାର ଗତ ୨୪ ବର୍ଷ ମଧ୍ୟରେ ବୌଦ୍ଧର ବିକାଶ ପାଇଁ କିଛି କାର୍ଯ୍ୟ କରିନଥିବାବେଳେ ମୋହନ ସରକାର ସମସ୍ତ ଦିଗରେ ବୌଦ୍ଧଜିଲ୍ଲାକୁ ବିକଶିତ କରିବ ବୋଲି ମନ୍ତ୍ରୀ କହିଥିଲେ ।

ଏହିଅବସରରେ ୪ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ସରକାରଙ୍କ ଦ୍ୱାରା ପ୍ରଣିତ ପ୍ରମୁଖ ଯୋଜନା ଉପରେ ଦୃଶ୍ୟ-ଶ୍ରାବ୍ୟ ଚିତ୍ର ପ୍ରଦର୍ଶନୀ ମଞ୍ଚରେ ଏଲଇଡି ମାଧ୍ୟମରେ ସମସ୍ତଙ୍କୁ ଦେଖାଯାଇଥିଲା । ଓରମାସ ତରଫରୁ ହୋଇଥିବା ମିଶନଶକ୍ତି କାଫେ, ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ସାମଗ୍ରୀ ଷ୍ଟଲ ଓ ସରକାରୀ ଯୋଜନା ସଂପର୍କିତ ଷ୍ଟଲ ଗୁଡିକ ବୁଲି ଅତିଥିମାନେ ଦେଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଏଆରସିଏସ ହାଡିବନ୍ଧୁ ମହାକୁଳ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନୱାଡି କର୍ମୀ, ଏସ୍‌ଏଚଜି ମହିଳା, ବୁଦ୍ଧିଜୀବୀ ହଜାରହଜାର ସଂଖ୍ୟାରେ ଯୋଗଦେଇଥିଲେ । ଏହାପରେ ଜିଲ୍ଲା ତଥା ଜିଲ୍ଲାବାହାରୁ ବିଭିନ୍ନ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମେଳା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି

bjp govtboudh newsmohan charan majhisubhadra yojana
Comments (0)
Add Comment