ନିୟମ ଆଢୁଆଳରେ ସଂକୀର୍ଣ୍ଣ ରାଜନୀତି! ଏବର୍ଷ ବି ଦିଲ୍ଲୀରେ ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର: ଗତବର୍ଷ ଭଳି ଏଥର ମଧ୍ୟ ଦିଲ୍ଲୀରେ କଡ଼ା କଟକଣା ମଧ୍ୟରେ ପାଳିତ ହେବ ଗଣତନ୍ତ୍ର ଦିବସ । ଅତିଥି ସଂଖ୍ୟାକୁ ବହୁ ମାତ୍ରାରେ କମାଇଦେବା ଲାଗି ନିଷ୍ପତ୍ତି ହୋଇଛି । ଗଣତନ୍ତ୍ର ଦିବସ ଉତ୍ସବର ଏକ ସବୁଠୁ ବଡ଼ ଆକର୍ଷଣ ହେଉଛି ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ । କାରଣ,ଏଥିରେ ରାଜ୍ୟମାନଙ୍କର କଳା, ସଂସ୍କୃତି, ପରମ୍ପରା,ଐତିହ୍ୟ, ଭାସ୍କର୍ଯ୍ୟ,ଲୋକକଳା,ସଙ୍ଗୀତ ଆଦିକୁ ଏକ ସ୍ୱତନ୍ତ୍ର,ନିଆରା ଓ ଅଭିନବ ଢଙ୍ଗରେ ପ୍ରଦର୍ଶନ କରାଯାଇଥାଏ । ତେଣୁ ଏହା ସମସ୍ତଙ୍କ ପାଇଁ ଆକର୍ଷଣର ଏକ କେନ୍ଦ୍ର ହୋଇଥାଏ । ଏହି ପ୍ରଜ୍ଞାପନ ମେଢକୁ ଦେଖିବା ପାଇଁ ସାରା ଦେଶର ଲୋକମାନଙ୍କ ମଧ୍ୟରେ ଏକ ଉକ୍ରଣ୍ଠା ମଧ୍ୟ ଥାଏ । କିନ୍ତୁ ଏଥିରେ ରାଜନୀତି କିମ୍ବା ଅନ୍ୟ କୌଣସି କାରଣରୁ ବେଳେବେଳେ କିଛି ରାଜ୍ୟ ସେମାନଙ୍କ ପ୍ରଜ୍ଞାପନ ମେଢକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବାର ସୁଯୋଗ ପାଇପାରି ନଥାନ୍ତି । ଗତ ବର୍ଷ ପରି ଏବର୍ଷ ମଧ୍ୟ କେତେକ ରାଜ୍ୟ ଭାଗ୍ୟରେ ଏଭଳି ବିଡ଼ମ୍ବନା ଘଟିଛି । ବିହାରର ପ୍ରଜ୍ଞାପନ ମେଢ ଏଥର ଦିଲ୍ଲୀରେ ଦେଖିବାକୁ ମିଳିବ ନାହିଁ । କେନ୍ଦ୍ର ସରକାର ଏହାକୁ ବାଦ୍‌ ଦେଇଛନ୍ତି । ସେହିପରି, ପଡେ଼ାଶୀ ରାଜ୍ୟ ପଶ୍ଚିମ ବଙ୍ଗ ମଧ୍ୟ ବାଦ ପଡ଼ିଛି । ଏହି ଦୁଇ ରାଜ୍ୟର ପ୍ରସ୍ତାବକୁ କେନ୍ଦ୍ର ନିୟମକାନୁନ ଆଳ ଦେଖାଇ ପ୍ରତ୍ୟାଖ୍ୟାନ କରିଦେଇଛି । ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଆମ ରାଜ୍ୟ ଓଡ଼ିଶା । ଓଡ଼ିଶାର ସମସ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ତେଣୁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଓଡ଼ିଶାର ପ୍ରଜ୍ଞାପନ ମେଢ ଦିଲ୍ଲୀରେ ଦେଖିବାକୁ ମିଳିବ ନାହିଁ । ଏହା ରାଜ୍ୟବାସୀଙ୍କୁ ଭୀଷରଭାବରେ ନିରାଶ କରିଛି । କେନ୍ଦ୍ର ଏଭଳି ନିଷ୍ପତ୍ତିକୁ ନେଇ ଶାସକ ଦଳ ବିଜେଡି ଅସନ୍ତୋଷ ପ୍ରକାଶ କରି କହିଛି ଯେ ଉପଯୁକ୍ତ ଫୋରମରେ ଏହାର ପ୍ରତିବାଦ କରାଯିବ । ଦଳର ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ ପ୍ରଜ୍ଞାପନ ମେଢ଼ ନେଇ ୫ଟି ପ୍ରସ୍ତାବ ଦିଆଯାଇଥିଲା । ୧୮୧୭ରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ,ଜୟୀ ରାଜଗୁରୁ ଓ ଚାଖି ଖୁଣ୍ଟିଆଙ୍କ ଜୀବନୀ, ଓଡ଼ିଶାରେ ହକି ଭିତ୍ତିଭୂମି ଓ ହକି ବିକାଶ ପାଇଁ ଓଡ଼ିଶାର ପ୍ରୟାସ ଏବଂ ଗତ ୨୦ ବର୍ଷରେ ଓଡ଼ିଶାରେ ହୋଇଥିବା ବ୍ୟାପକ ବିକାଶ,ବିଶେଷ କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କିପରି ସଫଳତା ପାଇଛି. ସେନେଇ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ । ତେବେ ତୃତୀୟ ରାଉଣ୍ଡରୁ କଟିଗଲା । କାହିଁକି କଟିଲା, ସେନେଇ କାରଣ ବି ଜଣାଇଲେ ନାହିଁ କେନ୍ଦ୍ର ସରକାର । ଲଗାତର ଦ୍ୱିତୀୟ ବର୍ଷ ପାଇଁ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଉନାହିଁ ଓଡିଶାର ପ୍ରଜ୍ଞାପନ ମେଢ । ଶେଷଥର ପାଇଁ ୨୦୨୦ ମସିହାରେ ଦିଲ୍ଲୀ ରାଜପଥରେ ଓଡିଶାର ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ରୁକୁଣାରଥ ପ୍ରଜ୍ଞାପନ ମେଢ ଗଡିଥିଲା । ସେତେବେଳେ ଏହା ବିଶେଷ ଭାବେ ଆଦୃତ ହୋଇଥିବାବେଳେ ଏହାପର ଠାରୁ ଆଉ ଓଡିଶା ମେଢ ଦିଲ୍ଲୀରେ ଗଡୁନି । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ତାଲିକାରୁ ବାଦ ପଡିଥିବା ପଶ୍ଚିମବଙ୍ଗ,କେରଳ,ତାମିଲନାଡ.ବିହାର ଭଳି ରାଜ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ରାଜନୈତିକ ପ୍ରସଙ୍ଗ କରିଛନ୍ତି । ହେଲେ ଲଗାତର ୨ବର୍ଷ ହେଲା ବାଦ ପଡୁଥିଲେ ମଧ୍ୟ ଚୁପ୍‌ ବସିଛି ଓଡିଶା । ଯାହାକୁ ନେଇ ବିଭିନ୍ନ ମହରେ ଏବ ପ୍ରଶ୍ନ ଉଠୁଛି । ଗୁଜରାଟର ପ୍ରଜ୍ଞାପନ ମେଢ଼କୁ ୫ ବର୍ଷ ହେଲାଣି ଗ୍ରହଣ କରୁଛନ୍ତି, ହେଲେ ଓଡ଼ିଶାର ଗୌରବ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମକୁ ମାନ୍ୟତା ଦେବାରେ ଲଗାତାରଭାବେ ଅବହେଳା କରିଚାଲିଛନ୍ତି । ଏବେ ପ୍ରଜ୍ଞାପନ ମେଢ଼କୁ ସୁଯୋଗ ନଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ପାଇଁ ପଶ୍ଚିମ ବଙ୍ଗ ସରକାର ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାସ ବୋଷଙ୍କ ସଂଗ୍ରାମ ଓ ଅବଦାନକୁ ନେଇ ପ୍ରଜ୍ଞାପନ ମେଢ ନକ୍ସା ପ୍ରସ୍ତୁତ କରିବା ସହ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ କେନ୍ଦ୍ର ନିୟମ ଆଳ ଦେଖାଇ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଯାହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରି କି,ଖୋଦ୍‌ ବିଜେପିର ବହୁ ନେତା ମଧ୍ୟ କେନ୍ଦ୍ରର ଏଭଳି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରି ତାହାକୁ ନାପସନ୍ଦ କରିଛନ୍ତି । ରାଜ୍ୟକୁ ପରେଡରେ ଭାଗନେବା ଲାଗି ଅନୁମତି ଦେବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖି ଅନୁରୋଧ କରିଛନ୍ତି । ସେହିପରି,ବିହାର ମଧ୍ୟ ଏଥର ବାଦ ପଡ଼ିଛି । ରାଜ୍ୟ ସରକାର ଜଳ-ଜୀବନ-ହରିୟାଲୀ ମିଶନକୁ ନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିବା ଲାଗି ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ସରକାର ଏହି ନକ୍ସାକୁ ଖୁବ ପସନ୍ଦ କରିଥିଲେ,କିନ୍ତୁ ନିୟମଗତ କାରଣ ଦର୍ଶାଇ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୧୯ରେ ମଧ୍ୟ ବିହାର ଦିଲ୍ଲୀ ପରେଡରୁ ବାଦ ପଡ଼ିଥିଲା । ପ୍ରକୃତରେ ନିୟମ କାରଣରୁ ବାଦ୍‌ ଦିଆଯାଉଛି ନା ଅନ୍ୟ କାରଣରୁ,ତାହାକୁ ନେଇ ପୁଣି ପ୍ରଶ୍ନ ଉଠିଛି ।

Comments (0)
Add Comment