ନୂଆଦିଲ୍ଲୀ : ବିଶ୍ୱରେ ଓମିକ୍ରନ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏହାକୁ ନେଇ ସମସ୍ତେ ଚିନ୍ତିତ । ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଓମିକ୍ରନର ନୂଆ ନୂଆ ଲକ୍ଷଣର ଆବିର୍ଭାବ । କେଉଁ କେଉଁ ଲକ୍ଷଣ ଥିଲେ ଓମିକ୍ରନ ହୋଇଛି ବୋଲି ଜଣାପଡ଼ିବ,ସେନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ସରକାର ଆଗରୁ କହିସାରିଛନ୍ତି । ଏବେ ଆଉ କେତେକ ଲକ୍ଷଣ ଚିହ୍ନଟ ହୋଇଛି,ଯାହା ଓମିକ୍ରନର ନୂଆ ଳକ୍ଷଣ ବୋଲି କୁହାଯାଇଛି । ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(ସିଡିସି) କହିଛି ଯେ ଦେହର ତ୍ୱଚା,ନଖ ଓ ଓଠର ରଙ୍ଗ ବଦଳିବା ମଧ୍ୟ ଓମିକ୍ରନର ଅନ୍ୟତମ ଲକ୍ଷଣ । କେତେକ ଅନୁଧ୍ୟାନ ପରେ ଏହା ଜଣାପଡ଼ିଛି । ଯଦି କୌଣସି ବ୍ୟକ୍ତି ନିଜ ଦେହରେ ଏଭଳି ଲକ୍ଷଣ ଦେଖନ୍ତି,ତେବେ ସେ କାଳ ବିଳମ୍ବ ନକରି ଡାକ୍ତରଙ୍କ ସହ ପରାମର୍ଶ କରିନେବା ଦରକାର । କାରଣ ଏଥିରେ ସାମାନ୍ୟ ଅବହେଳା ପରେ ନିଜକୁ ବିପଦରେ ପକାଇପାରେ ବୋଲି ସିଡିସି କହିଛି ।