ପିଆଜ ଦରରେ ଲାଗିଛି ନିଆଁ । ହୁ ହୁ ହୋଇ ବଢ଼ିବାରେ ଲାଗିଛି ଦର । ଦର ଏମିତି ହେଲାଣି ଯେ, ମାସକ ମଧ୍ୟରେ ଡବଲ୍ ହୋଇଯାଇଛି । ଫଳରେ ରୋଷେଇ ଘରେ ପଡ଼ିଛି ଭାଳେଣି । ମାସକ ଆଗରୁ ପିଆଜ କିଲୋ ୨୫ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ଡବଲ୍ ହେଲାଣି । ଏମିତିକି କେତେକ ଖୁଚୁରା ବଜାରରେ ପିଆଜ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି । କେବଳ ଖୁଚୁରା ବଜାର ନୁହେଁ, ପାଇକାରୀ ବଜାରରେ ମଧ୍ୟ ପିଆଜ ଦର ୭ ରୁ ୮ ଟଙ୍କା ବୃଦ୍ଧି ପାଇଛି । ଆଜାଦପୁର ମଣ୍ଡିରେ ପିଆଜ ଦର କେଜି ପିଛା ପାଇକାରୀ ଦର ୩୫ ରୁ ୪୦ ଟଙ୍କା ରହିଛି । ସେହିପରି ଏସିଆର ସର୍ବବୃହତ ପିଆଜ ମଣ୍ଡି ମହାରାଷ୍ଟ୍ରର ଲାସଲ ଗାଁରେ ପିଆଜ ଦରରେ ମଧ୍ୟ ବୃଦ୍ଧି ହୋଇଛି । ୧୫ ଦିନ ତଳେ ଏଠାରେ ପିଆଜ କ୍ୱିଣ୍ଟାଲ ପିଛା ୨୩୫୦ ଟଙ୍କାରେ ବିକ୍ରିହେଉଥିବାବେଳେ ଏବେ ଏହା ୩୮୦୦ ଟଙ୍କାରେ ପହଞ୍ଚିଛି ।
ନାସିକରେ ପିଆଜ ମହଙ୍ଗା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ୁଥିବା ନେଇ କୁହାଯାଉଛି । ବର୍ତ୍ତମାନ ସବୁ ପରିବା ଦର ଉପରମୁହାଁ ଥିବା ବେଳେ ହଠାତ୍ ପିଆଜ ଦର ବୃଦ୍ଧି ଗ୍ରାହକଙ୍କ ପକେଟ୍ କୁ ନଳିତା ଉପରେ ବୋଝ ସୃଦୃଶ ହୋଇଛି ।ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି । ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି । ଏପଟେ ପିଆଜ ମୂଲ୍ୟ ବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାରରେ ପଡିଥିବା ବେଳେ ସେପଟେ ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ।