ରାଉରକେଲା : କରୋନା ମହାମାରୀ ଆସିବା ପରଠାରୁ ସ୍କୁଲ ଗୁଡିକ ବନ୍ଦ ରହିଥିବାରୁ ଅନ୍ଲାଇନ୍ ରେ ପାଠପଢ଼ା ଚାଲିଛି । ଏହି ଅନ୍ଲାଇନ୍ ପାଠ ପଢା ସାଙ୍ଗକୁ ଅନ୍ଲାଇନ୍ ପ୍ରେମ ମଧ୍ୟ ସୁରୁଖୁରୁରେ ଚାଲିଛି । ରାଉରକେଲା ସହରରେ ଏହି ପରି ଏକ ଅନ୍ଲାଇନ୍ ପ୍ରେମର ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ସେକ୍ଟର-୨ ଅଞ୍ଚଳରେ ରହୁଥିବା ଜଣେ ୧୩ ବର୍ଷର ନାବାଳିକାକୁ ଅନ୍ଲାଇନରେ ପାଠ ପଢିବା ଲାଗି ତାଙ୍କ ବାପା ଏକ ମୋବାଇଲ ଦେଇଥିଲେ । ମାତ୍ର ପାଠ ପଢିବା ସାଙ୍ଗକୁ ନାବାଳିକା ଜଣକ ସୋସିଆଲ ମିଡ଼ିଆରେ ପ୍ରେମ କରି ବସିଲେ । କିନ୍ତୁ ଆଜିକୁ ପ୍ରାୟ ବର୍ଷେ ହେବ ସ୍ନାପଚାଟ୍ରେ ନାବାଳିକାଙ୍କର ପଞ୍ଜାବ ରାଜ୍ୟର ହରଜିତ ସିଂହଙ୍କ ସହ ଚାଟିଂ ଆରମ୍ଭ ହୋଇଥିଲା । ଚାଟିଂ କ୍ରମେ ପ୍ରେମରେ ପରିଣତ ହୋଇଥିଲା । ହରଜିତ ନାବାଳିକାଙ୍କୁ କହିଥିଲେ ଯେ, ମୁଁ ଓ ମୋର ଜଣେ ସାଙ୍ଗ ରାଉରକେଲା ଯାଉଛୁ ତତେ ନେଇଆସିବୁ । ଏଥିରେ ସଂପୃକ୍ତ ନାବାଳିକା ଜଣକ ସମ୍ମତି ପ୍ରକାଶ କରିବା ପରେ ହରଜିତ ରାଉରକେଲା ପହଞ୍ôଚଥିଲା । ରାଉରକେଲା ପହଞ୍ôଚବା ପରେ ହରଜିତ ନାବାଳିକାକୁ ଫୋନ୍ କରି ଡକାଇଥିଲା । ନାବଳିକା ଜଣକ ମୋବାଇଲ ଧରି ସଂଧ୍ୟା ରେ ଘରୁ ବାହାରି ପଳାଇଥିଲା । ପରିବାର ଲୋକେ ଝିଅକୁ ନପାଇ ତୁରନ୍ତ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତୁରନ୍ତ ମୋବାଇଲ୍ ଟ୍ରାକିଂ କରି ରେଲୱେ ଷ୍ଟେସନରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲା । ପୋଲିସ ନାବାଳିକାଙ୍କୁ ସରକାରୀ ଡାକ୍ତରଖାନାର ସଖି ସେଣ୍ଟରରେ ରଖିଥିବା ବେଳେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।