ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ଓଏସ୍ଆରଟିସି ସରକାରୀ ବସ ସେବା ଆସନ୍ତାକାଲିଠାରୁ ପଶ୍ଚିମ ଓଡିଶାର ଗୁରତ୍ୱପୂର୍ଣ୍ଣ ସହର ବୌଦ୍ଧକୁ ଆରମ୍ଭ ହେବ । ବୌଦ୍ଧ ସହର ପାଇଁ ଓଏଆରଟିସି ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଦୁଇଖଣ୍ଡ ବସ୍ ଯୋଗାଇ ଦିଆଯାଇଛି । ସେଥି ମଧ୍ୟରୁ ଆସନ୍ତାକାଲିଠାରୁ ଗୋଟିଏ ବସ୍ ଭୁବନେଶ୍ୱରରୁ ସକାଳ ୫ଟାରୁ ବାହାରି ଖୋର୍ଦ୍ଧା, କଳାପଥର, କଣ୍ଟିଲୋ, ଦଶପଲ୍ଲା ଓ ଖଣ୍ଡାପଡା ଦେଇ ସାଢେ ୧୧ଟାରେ ବୌଦ୍ଧରେ ପହଞ୍ଚିବ ଏବଂ ସେହି ବସଟି ଅପରାହ୍ନ ୪.୪୦ରେ ବୌଦ୍ଧରୁ ବାହାରି ସମାନ ରୁଟରେ ଭୁବନେଶ୍ୱରରେ ସାଢେ ୧୦ଟାରେ ପହଞ୍ଚିବ । ସେହିଭଳି ଆସନ୍ତା ସପ୍ତାହରୁ ବିପରୀତ କ୍ରମେ ବୌଦ୍ଧରୁ ଗୋଟିଏ ବସ୍ ସକାଳୁ ବାହାରି ସମାନ ରୁଟରେ ଭୁବନେଶ୍ୱର ପହଞ୍ଚିବା ପରେ ଅପରାହ୍ନରେ ବୌଦ୍ଧ ଯାଇ ସେଠାରେ ରାତ୍ରୀ ଯାପନ କରିବ । ଉଲ୍ଲେକଯୋଗ୍ୟ ଯେ, ପଶ୍ଚିମ ଓଡିଶାର ନୂଆପଡା, ପଦ୍ମପୁର, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ରାଉରକେଲା ୟୁନିଟି ମଧ୍ୟରୁ କେବଳ ବଲାଙ୍ଗୀରରୁ ବୌଦ୍ଧ ଓ ଅବିଭକ୍ତ କନ୍ଧମାଳ ଜିଲ୍ଲା ଫୁଲବାଣୀକୁ ପୂର୍ବରୁ ଏହି ବସ ସେବା ଥିବା ବେଳେ ଏବେ ସେଥିରେ ଭୁବନେଶ୍ୱର ଯୋଡି ହୋଇଛି ବୋଲି ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଡିପିଏମ୍ ଅପରେସନ ପ୍ରଶାନ୍ତ ହୋତା କହିଛନ୍ତି । ସେ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ୨୩ଟି ୟୁନିଟର ୨୬୪ଟି ରୁଟରେ ଓଏସ୍ଆର୍ଟିସ ବସ୍ ଚଳପ୍ରଚଳ କରୁଛି । ମୋଟ ୫୯୬ଟି ବସ୍ ବିଭିନ୍ନ ରୁଟରେ ଗଡୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୮୦ଟି ନୂଆ ବସ୍ ଯୋଗାଇ ଦିଆଯାଇଛି । ଭବିଷ୍ୟତରେ ଏହି ରୁଟରେ ଭଲ ସେବା ମିଳିଲେ ଯାତ୍ରୀ ପରବିହନକୁ ଗୁରୁତ୍ୱ ଦେଇ ଓଏସ୍ଆର୍ଟିସି ପକ୍ଷରୁ ଅଧିକ ବସ୍ ଦିଆଯିବ ବୋଲି ଶ୍ରୀ ହୋତା କହିଛନ୍ତି ।