ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ

ପୁରୀ : ଆଜି ରାତିରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ସୋଲ ,ଜରି, କଇଁଥ ଅଠାରେ ପ୍ରସ୍ତୁତ ସ୍ୱତନ୍ତ୍ର ପଦ୍ମବେଶ ରେ ହେବେ ସୁସଜ୍ଜିତ । ବଡ଼ସିଂହାର ବେଶ ପରେ ପଦ୍ମବେଶରେ ପହୁଡ଼ ଯିବେ ଶ୍ରୀଜୀଉ । ଆସନ୍ତାକାଲି ବେଶ ଦର୍ଶନ କରିପାରିବେ ଭକ୍ତ । ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ।
ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ମାଘ ମାସ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀବିଗ୍ରହ ମାନଙ୍କୁ ଏହି ବେଶ କରାଯାଇଥାଏ । ଶ୍ରୀ ବିଗ୍ରହମାନେ ପ୍ରତ୍ୟେକ ଦିନ ରାତିରେ ବଡ ସିଂହାର ବେଶରେ ପହୁଡ ଯାଇଥାନ୍ତି, ମାତ୍ର ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ ଯାଇଛନ୍ତି । ପଦ୍ମବେଶ ପଛରେ ରହିଛି ଏକ କିମ୍ବଦନ୍ତୀ । ଏକଦା ମନୋହର ଦାସ ନାମକ ଜଣେ ଭକ୍ତ ତଥା ସାଧୁ ପୁରୀକୁ ଆସୁଥିବା ବେଳେ ଏକ ପୋଖରୀରୁ କିଛି ପଦ୍ମ ଫୁଲ ମହାପ୍ରଭୁଙ୍କୁ ଲାଗି ଆଣିଥିଲେ । ମାତ୍ର ଶ୍ରୀକ୍ଷେତ୍ର ପହଞ୍ଚିବା ପରେ ପଦ୍ମ ଫୁଲଟି ସୁଖି ଯାଇଥିଲା । ଯାହାଫଳରେ ସୁଖିଲା ଫୁଲକୁ ସେବକମାନେ ଗ୍ରହଣ କରିନଥିଲେ । ତେବେ ସେହିଦିନ ରାତିରେ ମହାପ୍ରଭୁ ଗଜପତି ମହାରାଜଙ୍କୁ ସ୍ୱପ୍ନାଦେଶ କରି ଉକ୍ତ ଫୁଲକୁ ଲାଗି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ସାଧୁ ଆଣିଥିବା ପଦ୍ମ ଫୁଲରେ ମହାପ୍ରଭୁଙ୍କ ବେଶ ହୋଇଥିଲା । ଏହି ସ୍ମୃତିରେ ମହାପ୍ରଭୁଙ୍କ ଏହି ବେଶ ହେଉଛି ।
ସମସ୍ତ ବେଶରେ ମହାପ୍ରଭୁଙ୍କ ବେଶ ଓଲାଗିର ବ୍ୟବସ୍ଥା ଥିବା ବେଳେ କେବଳ ପଦ୍ମବେଶରେ ମହାପ୍ରଭୁ ପହୁଡ ଯାଇଥାନ୍ତି । ତେଣୁ ପରଦିନ ସକାଳେ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇଥାନ୍ତି ଶ୍ରଦ୍ଧାଳୁ ।

Comments (0)
Add Comment