ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ମତଦାନ ୬୦ ପ୍ରତିଶତରୁ ଅଧିକ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ସାବ୍ୟସ୍ତ କରିଛନ୍ତି ଗ୍ରାମାଞ୍ଚଳ ଭୋଟର । ଆଜି ଥିଲା ପ୍ରଥମ ପର୍ଯ୍ୟାୟ ଭୋଟ । ରାଜ୍ୟର ୩୦ ଜିଲ୍ଲାର ୭୧ ବ୍ଲକରେ ଶେଷ ହୋଇଛିମତଦାନ । ଏହି ଅବସରରେ ଦିନ ୧ଟା ସୁଦ୍ଧା ରାଜ୍ୟ ବିଭିନ୍ନ ସ୍ଥାନରେ ୬୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ଜଣାଯାଇଛି । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାଯାଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ ଜିଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ ଲକ୍ଷ ୫୧ ହଜାର ମତଦାତା ୨୨୩୭୯ଟି ବୁଥରେ ସେମାନଙ୍କର ସରପଞ୍ଚ,ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ଜିଲା ପରିଷଦ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ନ ୧ଟା ଯାଏଁ ଜାରି ରହିଥିଲା ।
ଅନ୍ୟ ପକ୍ଷରେ ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମୋଟ ୨୩ଟି ସ୍ଥାନରେ ନିର୍ବାଚନ ବନ୍ଦ ଘୋଷଣା କରାଯାଇଛି । ଗୋଟିଏ ଜିଲ୍ଲା ପରିଷଦ ଓ ୬ଟି ସରପଞ୍ଚ ପଦବୀ ପାଇଁ ନିର୍ବାଚନ ବନ୍ଦ ରଖାଯାଇଛି । ସେହିପରି ୩ଟି ପଞ୍ଚାୟତ ସମିତି ସଭ୍ୟ ଓ ୧୩ଟି ୱାର୍ଡମେମ୍ବର ପଦବୀରେ ବି ନିର୍ବାଚନ ବନ୍ଦ ରହିଛି । ୨୩ଟି ସ୍ଥାନରେ ନିର୍ବାଚନ ବନ୍ଦ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment