ବ୍ଲକସ୍ତରୀୟ ଉଜ୍ଜ୍ୱଳ ଭାରତ-ଉଜ୍ଜ୍ୱଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ

ପାରଳାଖେମୁଣ୍ଡି : ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ “ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ ବିଦ୍ୟୁତ ମହୋତ୍ସବ କେନ୍ଦ୍ର ସରକାରଙ୍କର ବିଦ୍ୟୁତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କର ସହଯୋଗୀତାରେ ଦ୍ୱିତୀୟ କାର୍ଯ୍ୟକ୍ରମ ରୂପେ ରା.ଉଦୟଗିରି ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ଯୋଗ ଦେଇ ଗଜପତି ଜିଲ୍ଲାରେ ବିଦ୍ୟୁତକ୍ଷେତ୍ରରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ଉଲ୍ଲେଖ କରିବା ସହିତ ବିଦ୍ୟୁତ ଅପଚୟ ରୋକିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ପୌରହିତ୍ୟ କରି ବିଦ୍ୟୁତ ଉତ୍ପାଦନ, ସରବରାହ ଓ ବିତରଣ ବ୍ୟବସ୍ଥାରେ ଉପୁଜୁଥିବା ସମସ୍ୟା ଗୁଡିକ ଉପରେ ଦୃଷ୍ଟିପାତ କରିଥିଲେ ଏବଂ ସୌରଉର୍ଜାର ଉପଯୋଗୀତା ଓ ଭବିଷ୍ୟତରେ ତାହାର ବହୁଳ ପ୍ରଚଳନ ଉପରେ ଗୁରୁତ୍ୱ ଦେଇଥିଲେ । ସମ୍ମାନିତ ଅତିଥିରୂପେ ଅତିରିକ୍ତ ଜିଲ୍ଲାପାଳ ଗଜପତି ପ୍ରଦୀପ କୁମାର ନାୟକ ଏପରି କାର୍ଯ୍ୟକ୍ରମର ଉପଯୋଗୀତା ଏବଂ ସୁରକ୍ଷିତ ଓ ସୁଲଭ ବିଜୁଳି ବ୍ୟବହାର ଉପରେ ନିଜର ମତାମତ ପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରା.ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ମୋହନାର ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଓ ରା.ଉଦୟଗିରି ବ୍ଲକ ଉପଧକ୍ଷ୍ୟା ବିଜୟଲକ୍ଷ୍ମୀ ପଟ୍ଟନାୟକ ଯୋଗ ଦେଇ ବିଦ୍ୟୁତର ବିଭିନ୍ନ ଉପଯୋଗୀତା ଏବଂ ବିଦ୍ୟୁତ ସଂରକ୍ଷଣ ଉପରେ ନିଜ ନିଜର ମତାମତ ପୋଷଣ କରିଥିଲେ । ଏନଟିପିସି, ଓପିଟିସିଏ ଏବଂ ଟିପିଏସ୍‌ଓଡିଏଲକୁ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଭୁଇୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ବକ୍ତା ରୂପେ ଓପିଟିସିଏଲ ଡିଜିଏମ୍‌ ଦାମୋଦର ପ୍ରସାଦ ପାତ୍ର , କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆନୁକୂଲ୍ୟରେ ବିଦ୍ୟୁତକ୍ଷେତ୍ରରେ ବିଗତ ୮ବର୍ଷରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତି ଉପରେ ବିସ୍ତାର ରୂପେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିବାପାଇଁ ଓଡିଶୀନୃତ୍ୟ ଓ ଲୋକନାଟ ପ୍ରଦର୍ଶନ କରାଯାଇଥିଲା । ସୁରକ୍ଷିତ ବିଦ୍ୟୁତ ବ୍ୟବହାର, ସଂରକ୍ଷଣ ଇତ୍ୟାଦି ଓଡିଓ-ଭିଡିଓ ଭିଜୁଆଲ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଏତଦବ୍ୟତୀତ ବିଦ୍ୟୁତ କ୍ଷେତ୍ରର ଉଲ୍ଲେଖନୀୟ କାର୍ଯ୍ୟକଳାପ ଗୁଡିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ଏନଡିପିସି ସୌଜନ୍ୟରେ ଓ ଓପିଟିସିଏଲ ଏବଂ ଟିପିଏସ୍‌ଓଡିଏଲର ସହଯୋଗୀତାରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ଏବଂ ବିଦ୍ୟୁତର ସଦୁପଯୋଗ ଓ ସୌରଉଜ୍ୟାର ସୁଫଳ ଉପରେ ସଚେତନତା ଜାଗ୍ରତ କରିବା । କାର୍ଯ୍ୟକ୍ରମର ଶେଷରେ ବରିଷ୍ଠ ମ୍ୟାନେଜର ଏନଟିପିସି ରମାକାନ୍ତ ଦାଶ ଆମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିବାବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ସାମିଲ ଥିଲେ ।

Comments (0)
Add Comment