ଅମୃତ କଳସ ସୁନା ଦୋକାନ ଡକାୟତି ଘଟଣାରେ ୪ ଜଣଙ୍କୁ ଗିରଫକଲା ପାଟଣାଗଡ ପୋଲିସ

ପାଟଣାଗଡ,୧୬ /୮- ଗତ ଅଗଷ୍ଟ ୫ ତାରିଖ ପାଟଣାଗଡ଼ ସହର ମଧ୍ୟସ୍ଥଳୀରେ ଥିବା ଅମୃତ କଳସ ସୁନା ଦୋକାନରୁ ୬ ଜଣ ବନ୍ଧୁକଧାରୀ ଡକାୟତ ସ୍ପଷ୍ଟ ଦିବାଲୋକରେ ଦୋକାନ ମାଲିକ ମୁକେଶ ଜୈନକୁ ଗନ ପଏଣ୍ଟ ରେ ରଖି ପାଖାପାଖି ୨ କେଜି ସୁନା ଓ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଦିନ ଦ୍ୱିପହରରେ ସ୍ପଷ୍ଟ ଦିବାଲୋକରେ ପୋଲିସ ଷ୍ଟେସନ ଠାରୁ ୨୦୦ ମିଟର ଦୂରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ କରିଥିବା ପାଟଣାଗଡ଼ ବାସୀଙ୍କ ପାଇଁ ଏହା ପ୍ରଥମ ଘଟଣା ଥିଲା । ଖୁଲମଖୁଲା ଏଭଳି ଡକାୟତି ଘଟଣାକୁ ନିନ୍ଦା କରିବା ସହ ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ଢିଲା ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନାପସନ୍ଦ କରି ବଲାଙ୍ଗିର ଏସ୍‌ପି, ପୋଲିସ ଡ଼ିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଅନେକ ସଂଗଠନ । ଯାହା ଫଳରେ ପୋଲିସ ଚାପରେ ଆସି ତଦନ୍ତକୁ ତ୍ୱରାନ୍ୱିତ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉକରି ୪ ଡକାୟତଙ୍କୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି । ମୁଖ୍ୟ ଅଭିଯୁକ୍ତ ସହ ଆଉ ୪ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଥିବା ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଫେରାର ଅଭିଯୁକ୍ତ ମାନେ ବାହାର ରାଜ୍ୟର ବୋଲି ପୋଲିସ ଜାଣିବାକୁ ପାଇଛି । ପାଟଣାଗଡ଼ ସମଳେଶ୍ୱର ଗାଁ ର ଶେଷଦେବ ବଗର୍ତ୍ତି, ରାମପୁରର ଆୱାଜ ମେହେର, ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଚନ୍ଦ୍ର ଓରଫ ଚନ୍ଦ୍ରମଣି ମେହେର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଖୁଟପାଲି ଗାଁ ର ଅଲେଖ ବଢେଇ କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪୨ ହଜାର ୫୦୦ ଟଙ୍କା, ଡକାୟତିରେ ବ୍ୟବହୃତ ଦେଶୀ ବନ୍ଧୁକ, ଦୁଇଟି ୮ ଏମ୍‌ ଏମ୍‌ ଜୀବନ୍ତ ଗୁଳି, ପଲସର ବାଇକ୍‌ ସହ ମାଲିକ ଠାରୁ ଲୁଟି ନେଇଥିବା ଏକ ସ୍ୟାମସଙ୍ଗ ମୋବାଇଲ ଫୋନ ପୋଲିସ ଜବତ କରିଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଡକାୟତି ଘଟଣାରେ ଆଉ ୪ି ଡକାୟତ ସୁନା ନେଇ ବାହାର ରାଜ୍ୟକୁ ଫେରାର ମାରିଥିବା ବେଳେ ପୋଲିସର ସ୍ୱତନ୍ତ୍ର ଟିମ୍‌ ବଲାଙ୍ଗିର ଏସପିଙ୍କ ତତ୍ୱାବଧାନରେ ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ।

Comments (0)
Add Comment