ପାନୀୟଜଳ ପାଇଁ ଡହଳବିକଳ, ସମସ୍ୟା ସମାଧାନ ପାଇଁ ବିଡ଼ିଓଙ୍କୁ ଅଭିଯୋଗ

ପାଟଣାଗଡ,୧/୬: ମୌଳିକ ଅଧିକାରକୁ ଜନସାଧାରଣଙ୍କ ପାଖରେ ପହଞ୍ଚେଇବା ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଥିଲେ ସୁଦ୍ଧା କେଉଁ ଅଦୃଶ୍ୟ ଶକ୍ତି ଯୋଗୁଁ ତାହା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର କେବଳ ବିକାଶ ନାଁ ରେ ଡିଣ୍ଡିମ ପିଟୁଛନ୍ତି । ଲୋକଦେଖାଣିଆ ଅନେକ ଯୋଜନା କାର୍ଯ୍ୟକାରୀ କରିଥିଲେ ସୁଦ୍ଧା ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ଅନେକ ଜନସାଧାରଣ ସ୍ୱାଧୀନତାର ସ୍ୱାଦ ପାଇବାରୁ ବଞ୍ଚିତ ଅଛନ୍ତି । ଏପରି ଅବହେଳିତ ଅବସ୍ଥାରେ ରହିଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଳକ ସାଲେପାଲି ଗ୍ରାମପଞ୍ଚାୟତ କର୍ଲାମାଳ ଗ୍ରାମ ଆମପାଲିର ବାସିନ୍ଦା । ଏହି ଗ୍ରାମରେ ପାନୀୟ ଜଳ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଠାରେ ୩୦ପରିବାରରେ ପାଖାପାଖି ୧୫୦ ଜନସାଧାରଣ ବସବାସ କରନ୍ତି । ନଳକୂପ ଦୁଇଟି ଅଛି କିନ୍ତୁ ଗ୍ରୀଷ୍ମ ଋତୁରେ ଜଳସ୍ତର ହ୍ରାସ ପାଇଥିବାରୁ ପାଣି ବହୁତ କଷ୍ଟରେ ବାହାରୁଛି । ନଳକୂପରେ ଅଧା ଘଣ୍ଟା ମାରିଲେ ଯାଇ ବାଲଟିଏ ପାଣି ବାହାରୁଛି ଓ ଜନସାଧାରଣଙ୍କୁ ଲାଇନରେ ଛିଡାହେବାକୁ ପଡୁଛି । ଏନେଇ ସରପଞ୍ଚ ସରୋଜ ଭୋଇ, କାର୍ଯ୍ୟନିର୍ବାହୀ ଅଧିକାରୀ ସୁଭାଷ ଚନ୍ଦ୍ରଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ । ଲୋକଦେଖାଣିଆ କେବଳ ମରାମତି କରିଦେଲେ ପୁଣି ଯେଉଁ ଅବସ୍ଥାକୁ ସେହି ଅବସ୍ଥା । ପାଇପ ଆହୁରି ଦୁଇଗୋଟି ଲେଖାଏଁ ଯୋଡିବାକୁ କହିବାରୁ ପଞ୍ଚାୟତରେ ପାଇପ ସରିଯାଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏ ବିଷୟରେ ଖବରପାଇ ସମାଜସେବୀ ଗିରିରାଜ ଭୋଇ, ପାଟଣାଗଡ଼ ବିଡ଼ିଓ ନୀଳମାଧବ ସୁନାଙ୍କୁ ସେହି ସମସ୍ୟାର ଭିଡିଓ ଫୁଟେଜ ଦେଖାଇ ସମସ୍ୟାର ସମାଧାନ ପାଇଁ ଦାବୀ ଜଣେଇଥିଲେ । ବିଡ଼ିଓ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଦେଖାଯାଉ ଗ୍ରାମବାସୀ ଏହି ସମସ୍ୟାରୁ କେବେ ମୁକ୍ତି ପାଉଛନ୍ତି ।

Comments (0)
Add Comment