ଆର୍ଥିକ ଅନିୟମିତତା ଅଭିଯୋଗରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ପାଟଣାଗଡ଼,୧୯/୪- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ମହରାପଦର ପଞ୍ଚାୟତ ସର୍ଗିପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଆର୍ଥିକ ଅନିୟମିତତା ପ୍ରତିବାଦରେ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ସୋମବାର ତାଲା ପକାଇଥିଲେ । ଫଳରେ ବିଦ୍ୟାଳୟ ବନ୍ଦ ରହିବା ସହ ଆନ୍ଦୋଳନରେ ଛାତ୍ରୀଛାତ୍ରମାନେ ସାମିଲ ହୋଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସରୋଜ ପାଣିଗ୍ରାହୀ ବିଦ୍ୟାଳୟର ବିଭିନ୍ନ ପାଣ୍ଠିର ଦାୟିତ୍ୱ ନଦେଇ ସରକାରୀ ଅର୍ଥକୁ ବେଆଇନ ଭାବେ ଉଠେଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳ ନମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏନେଇ ଖବରପାଇ ଖପ୍ରାଖୋଲ ବ୍ଲକ୍‌ ସହ ଶିକ୍ଷା ଅଧିକାରୀ ବିରେନ୍ଦ୍ର କୁମାର ସାହୁ, ମହରାପଦର ସରପଞ୍ଚ ସୁମତି ପଧାନ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାସହ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଡକାଇ ଟଙ୍କା ଫେରସ୍ତର ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Comments (0)
Add Comment