ପାଟଣାଗଡ,୨୨/୫ – ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି କୈାଲାଶ ଚନ୍ଦ୍ର ସାହୁ ଓ ଯୁବ ସାମ୍ବାଦିକ ଯତିଶ ଖମାରୀଙ୍କ ବିୟୋଗରେ ବେଲପଡା ସ୍ଥିତ ପଞ୍ଚାୟତ କଲେଜ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସାମ୍ବାଦିକ ଶ୍ରୀ ସାହୁ ଓ ଖମାରୀ ଙ୍କ ଫୋଟୋ ଚିତ୍ର ରେ ଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଭାପତି କରୁଣାକର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ବନମାଳୀ ମହାକୁର ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ସାମ୍ବାଦିକଙ୍କ ବିୟୋଗରେ ସାମ୍ବାଦିକ ସଂଘର ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ସାମ୍ବାଦିକ ଦ୍ୱୟଙ୍କ ପ୍ରେରଣା ହିଁ ଆମ ଯୁବ ସାମ୍ବାଦିକ ସଂଘଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା ବୋଲି ସଂଘର ଉପଦେଷ୍ଟା ସାମ୍ବାଦିକ ଦିଲିପ ଭୋଇ ମତ ପୋଷଣ କରିବା ସହ ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀ ବିପତ୍ତି ସମୟରେ ସମସ୍ତେ କିପରି ସତର୍କତା ଅବଲମ୍ବନ କରି ଖବର ପରିବେଷଣ କରିବା ସେନେଇ ଉପସ୍ଥିତ ଯୁବ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ । ସରକାରଙ୍କ ଘୋଷଣା ଅନୁଯାୟୀ କରୋନାରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ପରିବାରଙ୍କୁ ସରକାରୀ ସହାୟତା ୧୫ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉଛି । ସେହି ଅନୁଯାୟୀ କରୋନାରେ ମୃତ୍ୟୁ ବରଣ କରିଥିବା ସ୍ୱର୍ଗତ ଦୁଇ ସାମ୍ବାଦିକ ପରିବାରଙ୍କୁ ଏହି ସରକାରୀ ସହାୟତା ଶୀଘ୍ର ଯୋଗାଇ ଦେବାକୁ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି । ଏଥିରେ ସଂଘର ଉପସଭାପତି ଗୋରେଖନାଥ ବରିହା , ଜଗଦୀଶ ଭୋଇ , ଶେଷଦେବ ସିଂ ନାୟକ , ନଟବର ମହାନନ୍ଦ , ଚନ୍ଦ୍ରଶେଖର ବରିହା , ନରୋତ୍ତମ ପଣ୍ଡା ରଙ୍ଗାଧର ପୁଟେଲ , ନିର୍ମଳ ପୁଟେଲ ସନ୍ୟାସୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।