ବେଲପଡା ବିୟର ଫେକ୍ଟ୍ରିରେ ଦୁର୍ଘଟଣାରୁ ଶ୍ରମିକ ମୃତ

ପାଟଣାଗଡ,୫/୭- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ସରମୁହାଣ ଗ୍ରାମରେ ଥିବା ବିୟର ଫେକ୍ଟ୍ରି କାରଖାନାରେ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ନୁନହାଡ ଗ୍ରାମର ବିଶ୍ୱନାଥ ହଂସ । ସେ ବିଗତ ୧୦ ବର୍ଷ ହେବ ଏହି ଫେକ୍ଟ୍ରିରେ ଇଲେକ୍ଟ୍ରିସିଏନ ମେକାନିକ ଭାବରେ କାର୍ଯ୍ୟ କରୁଥିଲେ । ଆଜି ମଧ୍ୟାହ୍ନ ସମୟରେ ବିୟର ଫେକ୍ଟ୍ରିର କୁଲିଙ୍ଗ ପ୍ଲାଂଟ କାମ କରିବା ପାଇଁ ଛାତ ଉପରକୁ ଚଢି କାମ କରୁଥିବା ସମୟରେ ଛାତରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା ସହକର୍ମିୀମାନେ କହିଛନ୍ତି । ବିଶ୍ୱନାଥ ଛାତରୁ ପଡିଯାଇଥିବା ବେଳେ ସଙ୍ଗେସଙ୍ଗେ ସହକର୍ମୀମାନେ ବେଲପଡା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତକଙ୍କ ପରିବାର ୨ ଲକ୍ଷ ଟଙ୍କା ଆର୍ଥିକ କ୍ଷତି ପୂରଣ ଦାବୀ କରିଥଲେ ଏବଂ ବେଲପଡା ଥାନାକୁ ଆସିଥିଲେ ।

ବେଲପଡା ଥାନାଧିକାରୀ ବୁଲୁ ମୁଣ୍ଡା ସେମାନଙ୍କୁ ବୁଝାଇ ସୁଝାଇ ଅଗ୍ରୀମ ୨୦ ହଜାର ଟଙ୍କା ଦେବା ବ୍ୟବସ୍ଥା କରିଥିଲେ ଏବଂ ପରେ ଫେକ୍ଟ୍ରି ମାଲିକ ଆସିଲେ ଆସନ୍ତାକାଲି ବାକି ଟଙ୍କା ଦେବେ ବୋଲି କହିବା ପରେ ମୃତକଙ୍କ ପରିବାର ରାଜି ହୋଇଥିଲେ । ଫେକ୍ଟ୍ରି ଭିତରେ ଶ୍ରମିକଙ୍କ ସୁରକ୍ଷା ନିମନ୍ତେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନଥିବା ବେଳେ ଶ୍ରମିକ ମାନଙ୍କ ପାଇଁ ଇନସ୍ୟୁରାନ୍ସ ମଧ୍ୟ କରାଯାଇନଥିବା ଅଭିଯୋଗ ହେଉଛି । ଶ୍ରମିକ ​ସୁରକ୍ଷା ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିବା ବେଳେ ପୋଲିସ ଅବା ଶ୍ରମ ବିଭାଗ ସବୁ ଜାଣିଶୁଣି ଚୁପ ରହୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏଣୁ ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Comments (0)
Add Comment