ପାଟଣାଗଡ଼ ଥାନାରେ ନୂତନ ତିନୋଟି ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନତା ଶିବିର

ପାଟଣାଗଡ଼,୧/୭: ତିନୋଟି ନୂଆ ଅପରାଧିକ ଆଇନ, ଭାରତୀୟ ନ୍ୟାୟ ସଂହିତା୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ୨୦୨୩ ଜୁଲାଇ ୧ରୁ କାର୍ଯ୍ୟକାରୀ ହେଉଛି । ଗତବର୍ଷ ଶୀତକାଳୀନ ଅଧିବେଶନରେ ସଂସଦରେ ଏହି ବିଲ୍‌ ଗୃହୀତ ହୋଇଥିଲା । ଭାରତୀୟ ନାଗରିକଙ୍କୁ ସଶକ୍ତ କରିବା ଦିଗରେ ନୂଆ ଅପରାଧିକ ଆଇନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରତ୍ୟେକ ନାଗରିକଙ୍କୁ ଅଧିକ ସୁଲଭ, ସହାୟକ ଏବଂ ଦକ୍ଷ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସୃଷ୍ଟି କରିବା ଏହି ଆଇନଗୁଡ଼ିକର ଲକ୍ଷ୍ୟ । ଏନେଇ ପାଟଣାଗଡ଼ ଥାନା ନୂତନ କୋଠା କନଫରେନ୍ସ କକ୍ଷରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଦାନନ୍ଦ ପୂଝାରୀଙ୍କ ଅଧ୍ୟକ୍ଷତାରେ ସଚେତନତା ଶିବିର ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ ମିଞ୍ଜ, ତହସିଲଦାର ରୁଦ୍ରମଣି ନାଏକ , ଏନ୍‌ ଏ ସି ଚେୟାରମେନ ମାନସୀ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଥାନା ଅଧିକାରିଣୀ ତାରାବତୀ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପୂଝାରୀ ପୁଲିସ ଉପରେ ଜନସାଧାରଣଙ୍କ ସହଯୋଗ ରହିଲେ ହେଁ ଅନେକ ଅପରାଧ ମାମଲାର ସମାଧାନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଆଇନଜୀବି ଭକ୍ତ ବନ୍ଧୁ ବାଗ ,ପ୍ରକାଶ ଭୋଇ ,ଦର୍ପଗଞ୍ଜନ ପଟ୍ଟନାୟକ, ରାଣା ପ୍ରଧାନ ପ୍ରମୁଖଙ୍କ ସହ ଏନେଇ ଅତିଥିମାନେ ବକ୍ତବ୍ୟରେ କହିଥିଲେ ଯେତେବେଳେ ଜଣେ ବ୍ୟକ୍ତି ଗିରଫ ହେବେ, ସେତେବେଳେ ତାଙ୍କୁ ତାଙ୍କ ପସନ୍ଦ ବିଷୟରେ ତାଙ୍କ ପଦ ବିଷୟରେ ଜଣାଇବାର ଅଧିକାର ରହିବ । ନୂଆ ଆଇନରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସାର ତଦନ୍ତକୁ ପ୍ରାଥମିକତା ଦିଆଯାଇଛି । ନୋଟିସ୍‌ ଦାଖଲ ହେବାର ଦୁଇ ମାସ ମଧ୍ୟରେ ଏଭଳି ମାମଲାର ସମାଧାନ କରିବାକୁ ପଡ଼ିବ । ନୂଆ ଅପରାଧ ଆଇନ ଅନୁଯାୟୀ ଫରେନସିକ୍‌ ବିଶେଷଜ୍ଞମାନେ ଗୁରୁତର ଅପରାଧ ଏବଂ ପ୍ରମାଣ ସଂଗ୍ରହ ପାଇଁ ଅପରାଧ ସ୍ଥଳ ପରିଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି । ଏଣିକି ଇଲେକ୍‌ଟ୍ରୋନିକ ମାଧ୍ୟମରେ ସମନ ଜାରି କରାଯିବ । ଏହା ଦ୍ୱାରା ଆଇନଗତ ପ୍ରକ୍ରିୟା ସହଜ ହେବ, କାଗଜପତ୍ର ହ୍ରାସ ପାଇବ ଏବଂ ମାମଲା ସହ ଜଡିତ ସମସ୍ତ ଲୋକଙ୍କ ମଧ୍ୟରେ ଦକ୍ଷ ଭାବ ବିନିମୟ ସହଜ ହେବ ବୋଲି ପ୍ରକାଶ କରିଥିଲେ । ଏହି ତିନୋଟି ନୂଆ ଆଇନର ଆତ୍ମା ହେବ ଭାରତୀୟ ନାଗରିକମାନଙ୍କୁ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ସମସ୍ତ ଅଧିକାରର ସୁରକ୍ଷା କରିବା । ଏହାର ଉଦ୍ଦେଶ୍ୟ କାହାକୁ ଦଣ୍ଡ ଦେବା ନୁହେଁ ବରଂ ନ୍ୟାୟ ଦେବା । ଏହି ପ୍ରକ୍ରିୟାରେ ଅପରାଧ ନିବାରଣ ଭାବନା ସୃଷ୍ଟି କରିବା ପାଇଁ ଯେଉଁଠାରେ ଆବଶ୍ୟକ ସେଠାରେ ଦଣ୍ଡ ଦିଆଯିବ ।

Comments (0)
Add Comment