ପାଟଣାଗଡ,୧/୭- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ ପଦ୍ମପୁର କୁଦୋଭଟା ଗାଁ ରେ ପାନୀୟଜଳ ପାଇଁ ନାହିଁନଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ ହେଉଛି । ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ନିରବ । ଶେଷରେ ଗ୍ରାମର ମହିଳାମାନେ ବ୍ଳକ ସମ୍ମୁଖରେ ଧାରଣା ଦେଇଛନ୍ତି । ଗାଁ ରେ ୧୦ ରୁ ୧୫ ବର୍ଷ ହେବ ନଳକୂପ ଚାଲି ଆସୁଥିଲା । ହେଲେ ସୌରଚା଼ଳିତ ପମ୍ପ ଲାଗିଲା ଦିନଠୁ ପାଣି ବାହାରୁନଥିବା ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି । ଫଳରେ ଗ୍ରାମବାସୀ ପୋଖରୀରୁ ପିଇବାପାଣି ଆଣି ବ୍ୟବହାର କରିଥିବାରୁ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ହେବ ବୋଲି ଅଭିଯୋଗ କରିଛନ୍ତି । ଏହି ଧାରଣାରେ ବିନୋଦ ପରାଭୁଏ,ଦେବତୀ ପରାଭୁଏ , ଯଶୋବନ୍ତି ମନହୀରା, ଅନୁସୟା କ୍ଷେତି,ହେମବନ୍ତି ନାଗ, ରୁକୁଣି ନାଗ ପ୍ରମୁଖ ଗ୍ରାମବାସୀ ଧାରଣା ଦେଇଥିଲେ । ଆଗାମୀ ଦିନରେ ଦାବିପୂରଣ ନହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।