ପିଡିଏସ ଚାଉଳରେ ପ୍ଲାଷ୍ଟିକ ଅପମିଶ୍ରଣ : କଂଗ୍ରେସର ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ଅନ୍ତର୍ଗତ ଦହଡାମାଳ ଗ୍ରାମରେ ପିଡିଏସ ଚାଉଳ ବଣ୍ଟନ ସମୟରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଇଥିବା କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି । ସ୍ଥାନୀୟ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଯୋଗଦେଇ ଗତ ଗୁରୁବାର ଦିନ ଖାଦ୍ୟ ସୁରକ୍ଷା ଯୋଜନାରେ ଦହଡା ଗ୍ରାମର ହିତାଧିକାରୀମାନଙ୍କୁ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଇଥିବା ଅଭିଯୋଗ କରିଥିଲେ । ଶ୍ରୀ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ ଉକ୍ତ ବଣ୍ଟନ କରାଯାଇଥିବା ଚାଉଳ ଧୋଇବା ସମୟରେ ଚାଉଳ ପାଣିରେ ଭାସୁଥିବା ଦେଖି ହିତାଧିକାରୀ ମାନେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାବ୍ୟତୀତ ଚାଉଳକୁ ନିଆଁରେ ପୋଡିଲେ ପ୍ଲାଷ୍ଟିକ ଭଳି ଜଳିବା, ପାଟିରେ ଚୋବେଇଲେ ରବର ଭଳି ଲାଗୁଥିବା ଶ୍ରୀ ତ୍ରିପାଠୀଙ୍କୁ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲା ସଭାପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ନିକଟରେ ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପ୍ରତ୍ୟେକ କ୍ଷେତ୍ରରେ ତଳ ପଟୁ ୧ ନମ୍ବର ଅଧିକାର କରିଛି ।

ଶିଳ୍ପ ବିହୀନ ଜିଲ୍ଲାରେ ୬୨ ଶତକଡା ଭାଗ ଦଳିତ ଓ ଆଦିବାସୀମାନେ ରହୁଥିବାବେଳେ ପିଡିଏସ ଚାଉଳ ଉପରେ ନିର୍ଭର କରି ଚଳିଥାନ୍ତି । ସୁଷମ ଖାଦ୍ୟ ଅଭାବରୁ ରକ୍ତହୀନତା ଅଭାବରେ ମାତୃ ମୃତ୍ୟୁ ଘଟିବା ସହ ଛୋଟ ଛୁଆମାନେ ନଅଙ୍କ ଦୁର୍ଭିକ୍ଷ ସମୟର ପିଲାଙ୍କ ଭଳି ଦେଖାଗଲେଣି । ଏପରି ସ୍ଥିତିରେ ରାଜ୍ୟ ସରକାର ଗୋରିବ ହିତାଧିକାରୀ ମାନଙ୍କୁ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରି ସେମାନଙ୍କ ଜୀବନ ସହ ଖେଳ ଖେଳୁଥିବା ସେ ଅଭିଯୋଗ କରିଛନ୍ତି । ଉକ୍ତ ଗ୍ରାମରେ ବଣ୍ଟନ କରାଯାଇଥିବା ଚାଉଳରେ କୋଲକତା ନଗର ଲେଖଥିବା ବସ୍ତା ରହିଥିବା ସଭାପତି କହିଛନ୍ତି । ଏହି ଅପମିଶ୍ରଣ କାରବାର କଲକତା ପର୍ଯ୍ୟନ୍ତ ଚେର ଲମ୍ବିଛି । ତେଣୁ ଏହାର ଅଧିକ ତଦନ୍ତ କରିବା ପାଇଁ କଂଗ୍ରେସର ଏକ ୧୦ ଜଣିଆ ପ୍ରତିନିଧି ଦଳ ଆଜି ଉକ୍ତ ଗ୍ରାମକୁ ଗସ୍ତ କରିବେ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝି ଯୋଗ ଦେଇ ଲୋକଙ୍କୁ ବଞ୍ଚିବା ପାଇଁ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିବାବେଳେ ନବୀନ ସରକାର ପ୍ଲାଷ୍ଟିକ ଚାଉଳ ବଣ୍ଟନ କରି ଲୋକଙ୍କୁ ମାରିବା ପାଇଁ ବସିଛନ୍ତି ବୋଲି କହିଥିଲେ ।

ଏହି ଅପମିଶ୍ରଣ କାରବାରରେ ଜଡିତ ଚାଉଳ ସପ୍ଲାଇର, ମିଲର, ଯୋଗାଣ ବିଭାଗ ଅଧିକାରୀ ପ୍ରମୁଖଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗିରଫ କରିବା ପାଇଁ ଶ୍ରୀ ମାଝି ଦାବି କରିଥିଲେ । ଏଥିରେ ବରିଷ୍ଠ କଂଗ୍ରେସ ନେତା ଦିଲ୍ଲୀପ ବେହେରା ଯୋଗ ଦେଇ ଜିଲ୍ଲାର ସମସ୍ତ ଗୋଦାମ ଗୃହ ଗୁଡିକୁ ଯାଞ୍ଚ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ନଚେତ ଆଗାମୀ ଦିନରେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସଦନ ନାୟକ, ସମ୍ପାଦକ ପରି ସାହୁ, ଚାଷୀ ନେତା ବୃନ୍ଦାବନ ତ୍ରିପାଠୀ, ଅବଦୁଲ ଫିରୋଜଙ୍କ ସମେତ ନନ୍ଦହାଣ୍ଡି ବ୍ଲକ କଂଗ୍ରେସର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

Comments (0)
Add Comment