ବଙ୍ଗରୁ ପାହାଡ଼ ଉପରେ ୪ମାଓବାଦୀଙ୍କ ମୃତ ଶରୀର ଠାବ

ଫୁଲବାଣୀ,୫/୭- କନ୍ଧମାଳ ଜିଲ୍ଲା ପୁଲିସର ଏସ୍ଓଜି ଓ ଡିଭିଏଫର ମିଳିତ ଆକ୍ରମଣରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ତୁମୁଡିବନ୍ଧ ବ୍ଳକ ସିର୍ଲା ପଂଚାୟତର ବଙ୍ଗରୁ ପାହାଡ ଉପରେ ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିଲା । କିନ୍ତୁ ସର୍ଚ୍ଚ ଅପରେସନ ସମୟରେ ପୋଲିସ-ମାଓବାଦୀ ମୁହାମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ମାଓବାଦୀମାନେ ଅଧିକ ସମୟ ପୁଲିସ୍ର ମୁକାବିଲା କରିନପାରି ଅନ୍ଧାରର ସୁଯୋଗରେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଥିଲେ । ଆଜି ସକାଳୁ ଏସଓଜି ଟିମ୍ ସର୍ଚ୍ଚ କରି ଏକ ମାଓ କ୍ୟାମ୍ପ ଠାବ କରିବା ସହ ୪ ଜଣ ମାଓବାଦୀଙ୍କ ମୃତ ଶରୀର ଠାବ କରିଥିବା ସୂଚନା ମିଳିଛି ।

ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନଥିବା ଏସପି ପ୍ରତିକ୍ ସିଂ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଆସନ୍ତା ୨୬ ତାରିଖରୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ମାଓବାଦୀ ସଂଗଠନ କେକେବିଏନ ସହିଦ ସପ୍ତାହ ପାଳନ କରିବାକୁ ଯାଉଛି । ଏହି ଅବସରରେ ଜିଲ୍ଲାରେ ବଡ ଧରଣର ଅଘଟଣ ଘଟାଇବାର ଯୋଜନା ସଂଗଠନ କରିଛି । ଏଭଳି ସୂଚନା ପାଇବା ପରେ କନ୍ଧମାଳ ପୁଲିସ୍ ଜିଲ୍ଲାରେ ଜୋରଦାର କୁମ୍ବିଂ ଅପରେସନ ଜାରି ରଖିଛି । ୪ ଦିନ ତଳେ ଫିରିଙ୍ଗିଆ ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା । କିନ୍ତୁ ଶିବିରରେ ଥିବା କ୍ୟାଡର ମାଓବାଦୀ ଦାସୁଲୁ, ଆକାଶ ପ୍ରମୁଖ ଫେରାର ହେବାରେ ସଫଳ ହୋଇଥିଲେ ।

Comments (0)
Add Comment