ଦୁର୍ଗମ ଅଞ୍ଚଳକୁ ଘରୋଇ ବସ ଚଳାଚଳ ଆରମ୍ଭ

ଫୁଲବାଣୀ,୭/୧୦: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ’ର ପ୍ରଚେଷ୍ଟା ଯୋଗୁଁ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଏକ ଘରୋଇ ବସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ବସଟି ଫୁଲବାଣୀରୁ ବାହାରି ତିଳକପଡ଼ା, କଲାଡ଼ି, ଘୋଡା ଗାଡୁ , ଭୁକ୍ତା କନାଲି, ବଡଭୁଇଁ, ଆଡାସି ପଡ଼ା, ଲାଇନ ପଡ଼ା ଦେଇ ଚକାପାଦ ଯିବାକୁ ସ୍ଥିରୀକୃତ ହୋଇଛି । ଏହି ଗ୍ରାମ ଗୁଡ଼ିକୁ ବସ ଯୋଗାଯୋଗ ନଥିବାରୁ ଗ୍ରାମବାସୀ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏସବୁ ଗ୍ରାମରୁ ଶହଶହ ଲୋକ ନିଜର ଜୀବନଜୀବିକା ପାଇଁ ଫୁଲବାଣୀ ସହର ଉପରେ ନିର୍ଭର କରନ୍ତି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପ୍ରଧାନ, ସହ ସମ୍ପାଦକ ଶୁଭେନ୍ଦୁ ତ୍ରିପାଠୀ, ସଭ୍ୟ ଦିଲୀପ କୁମାର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ଶତ୍ରୁଘ୍ନ ମହାନ୍ତି, ପ୍ରସନ୍ନ ପଟ୍ଟନାୟକ, ଫିଲେ ମୋହନ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ରାଜକିଶୋର ବେହେରା, ପ୍ରସନ୍ନ ସାହାଣୀ, ସର୍ବେଶ୍ୱର ମିଶ୍ର, ପଦ୍ମଚରଣ ସାହୁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ବସ୍‌ ଚଳାଚଳ ଶୁଭାରମ୍ଭ ପରେ ପ୍ରତ୍ୟେକ ଗ୍ରାମରେ ଜନସାଧାରଣ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା ଓ ସେମାନେ ରାସ୍ତାରେ ବନ୍ଦାପନା କରିଥିଲେ । ଗତ ୨ବର୍ଷ ହେଲା ଅନୁଷ୍ଠାନ ପକ୍ଷରୁ ସଦସ୍ୟମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ଫୁଲବାଣୀ ଘରୋଇ ବସ ମାଲିକ ସଂଘ ସହାୟତାର ହାତ ବଢାଇଥିଲା ।

Comments (0)
Add Comment