ଜାତୀୟ ଡେଙ୍ଗୁ ଦିବସ ୨୦୨୩ ପାଳନ

ଫୁଲବାଣୀ,୧୬/୫:- ଜାତୀୟ ଡେଙ୍ଗୁ ଦିବସ ୨୦୨୩ ପାଳନ ଅବସରରେ ଫୁଲବାଣୀ ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମନୋଜ କୁମାର ଉପାଧ୍ୟାୟ ଯୋଗଦେଇ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ୱନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ । ଏହା ଏକ ଭୁତାଣୁଜନିତ ରୋଗ । ଚାରି ପ୍ରକାର ଡେଙ୍ଗୁ ଭୂତାଣୁ ଅଛନ୍ତି । ଅଧିକାଂଶ କ୍ଷେତ୍ରରେ ଡେଙ୍ଗୁ ଜ୍ୱର ସାଧାରଣ ଜ୍ୱରପରି ହୋଇଥାଏ । ଆପେ ଆପେ ଭଲ ହୋଇଯାଇଥାଏ । ବେଳେବେଳେ ଜଟିଳ ଲକ୍ଷଣ ମାନ ଦେଖାଯାଇପାରେ । ଏଡିସ୍‌ ମଶା ଦା୍ୱରା ରୋଗୀ ଦେହରୁ ସୁସ୍ଥ ଲୋକଙ୍କୁ ସଂକ୍ରମିତ ହୋଇଥାଏ ବୋଲି କହିଥିଲେ । ସେହିପରି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଭାକର ସାହୁ ଡେଙ୍ଗୁ ରୋଗ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ ଯେ ଏଡିସ୍‌ ମଶା ଦିନବେଳେ କାମୁଡି ଥାଆନ୍ତି । ତେଣୁ ଦିନରେ ଗର୍ଭବତୀ ମହିଳା, ବୁଢ଼ା ବୁଢୀ, ଛୋଟ ପିଲା ମାନେ ଶୋଇବା ବେଳେ ମଶାରୀ ଟାଙ୍ଗୀ ଶୋଇବା ଆବଶ୍ୟକ । ନିମ୍ବପତ୍ର ଧୁଆଁ, କରଞ୍ଜ ତେଲ, ମଶା ଧୂପ ବ୍ୟବହାର କରିବା ଦ୍ୱାରା ରୋଗକୁ ପ୍ରତିହତ କରାଯାଇପାରିବ । ଡେଙ୍ଗୁ ବ୍ୟାପିଥିବା ଅଞ୍ଚଳରେ ତଥା କାମ କରିବା ସମୟରେ ପୁରା ଶରୀରକୁ ଘୋଡାଇ ରଖିବା ଭଳି ପୋଷାକ ପିନ୍ଧିବା ଦରକାର । ଡେଙ୍ଗୁ ରୋଗ ବ୍ୟାପିଥିବା ଅଞ୍ଚଳରେ ଅତିଶୀଘ୍ର ଏଡିସ୍‌ ମଶା ବଂଶକୁ ନଷ୍ଟକରିବା ଆବଶ୍ୟକ । ଘର ଭିତରେ ବାହାରେ ପାଣି ଜମିବାକୁ ଦେବା ନାହିଁ । ପରିବେଶକୁ ପରିଷ୍କାର ପରିଚ୍ଛନ୍ନ୍ନ ରଖିଲେ ଏହି ମଶା ବଂଶ ବିସ୍ତାର କରିପାରିବ ନାହିଁ ବୋଲି କହିଥିଲେ । ଆମ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ଓ ଡେଙ୍ଗୁ ରୋଗ ଚିହ୍ନଟ ଓ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି । ଏହାର ପ୍ରତିରୋଧ ପାଇଁ ସମସ୍ତଙ୍କ ଭୂମିକା ରହିଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସଂଗଠନ, ଅନୁଷ୍ଠାନ ଓ ଉଦ୍ୟୋଗ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏମାନେ ନିଜନିଜ ଅଞ୍ଚଳରେ ଏଡିସ୍‌ ମଶା ଏହାର ଅଣ୍ଡା ଓ ଲାଭା ତଥା ମଶା ଡିମ୍ବ ଦେଇଥିବା ସ୍ଥାନ ଗୁଡିକୁ ନଷ୍ଠ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଜରୁରୀ ଅଟେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡଃ କଲ୍ୟାଣୀ ମିଶ୍ର, ଜିଲ୍ଲା ସାମାଜ ଅଧିକାରିଣୀ, ସିଡିପିଓ ଫୁଲବାଣୀ ବ୍ଳକ, ପୌର ପରିଷଦର ବିଭିନ୍ନ ୱାର୍ଡର ସଭ୍‌ଯ ସଭ୍ୟା ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ପରିଶେଷରେ ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି ଉପସ୍ଥିତ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment