ଫୁଲବାଣୀ,୨୬/୮ – ସୋମବାର ରାତିରେ ସୂର୍ଯ୍ୟ ମହାପାତ୍ର ସାର (୬୯ବର୍ଷ)ଙ୍କ ପରଲୋକ ଘଟିଛି । ତାଙ୍କ ମୃତ୍ୟୁରେ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଫୁଲବାଣୀର ଅମଲାପଡ଼ା ଠାରେ ବାସ କରୁଥିବା ସ୍ୱର୍ଗତ ମହାପାତ୍ର ସୋମବାର ସନ୍ଧ୍ୟାରେ ସାମାନ୍ୟ ଜ୍ୱରଥିବା ବେଳେ ହଠାତ ରାତ୍ରି ୧୨ଟାରେ ସେ ଅସୁସ୍ଥ ହୋଇପଡିବାରୁ ଏନେଇ ତାଙ୍କ ପତ୍ନୀ ଖବର ଦେବା ପରେ ବରିଷ୍ଠ ଆଇନଜୀବି ଭଗବାନ ମହାନ୍ତି, ସୁଧାଂଶୁ ଗୁରୁ ଓ ଅନ୍ୟମାନେ ତାଙ୍କୁ ମେଡିକାଲ ନେଇଥିଲେ । ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ସେ ଆଂଥରୋପୋଲୋଜି ଡେମନଷ୍ଟ୍ରାଟର ଭାବେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଫୁଲବାଣୀରୁ ଅବସର ଗ୍ରହଣ କରିଥିଲେ । ପରେ ସେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ,ଅଣଗେଜେଟେଡ଼ ସଂଘର ପୂର୍ବତନ ସଭାପତି,ଯାତ୍ରା କମିଟିର ସମ୍ପାଦକ ଥିଲେ ଓ ବ୍ରାହ୍ମଣୀଦେବୀ ମନ୍ଦିରର ଉପଦେଷ୍ଟା ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇବାମାତ୍ରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଲିଙ୍ଗରାଜ ଦଳବେହେରା, ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର,ବଣିକ ସଂଘର ପୂର୍ବତନ ସଭାପତି ମାଲୁ ପାଣିଗ୍ରାହୀ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ବ୍ରାହ୍ମଣ ସମାଜ ସଂଘର କର୍ମକର୍ତ୍ତା ସମେତ ଶହ ଶହ ଲୋକଙ୍କ ଶେଷ ଦର୍ଶନ କରିବାକୁ ଭିଡ଼ ଜମିଥିଲା । ସାରଙ୍କ ଦେହାନ୍ତ ପରେ ପରିବାର ଓ ଅନ୍ୟ ସମ୍ପର୍କୀୟ ଶେଷ ଦର୍ଶନ କରିଥିଲେ । କୋଭିଡ କଟକଣା ଯୋଗୁଁ ଅଲ୍ପ ସଂଖ୍ୟକ ବ୍ୟକ୍ତିଙ୍କ ସହାୟତାରେ ଫୁଲବାଣୀ ନାରାୟଣୀ ରୋଡ଼ସ୍ଥିତ ଶ୍ମଶାନରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବିଭିନ୍ନ ମହଲରେ ଶୋକର ଛାୟା ଖେଳିଥିବା ବେଳେ ସ୍ୱର୍ଗତ ସୁର୍ଯ୍ୟ ସାର ଫୁଲବାଣୀ ଅଞ୍ଚଳର ଜଣେ ଭଲ ସମାଜସେବକ, ମେଳାପି, ମିଷ୍ଟଭାଷୀ, ନିର୍ଭୀକ,ସଚୋଟ ଓ ସାହାଯ୍ୟକାରୀ ଲୋକ ଭାବରେ ଜଣାଶୁଣା ଥିଲେ ।ସୋସିଆଲ ମିଡିଆ ରେ ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର କନ୍ଧମାଳର କୋଣ ଅନୁକୋଣରୁ ତାଙ୍କର ହଜାର ହଜାର ଛାତ୍ରଛାତ୍ରୀ ଦୁଃଖିତ ହେବା ସଙ୍ଗେସଙ୍ଗେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ କାମନା କରିଛନ୍ତି । ସାରଙ୍କ ଦେହାନ୍ତ୍ରରେ କନ୍ଧମାଳ ଜିଲ୍ଲା ବିଜେପି ତରଫରୁ ଶୋକ ପ୍ରକାଶ କରିଛନ୍ତି ।