ହୀରାଞ୍ଚଳ ଖବର କାଗଜର ପ୍ରଭାବ ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼ାଇଲେ ସରକାର

ଫୁଲବାଣୀ,୧୯/୧୧: ମାଆ ଗର୍ଭରେ ଶିଶୁ ରହିବାଠାରୁ ମଣିଷ ମଲାପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ଗ୍ରାମାଞ୍ଚଳର ଅଧିକାଂଶ ସ୍ୱାସ୍ଥ୍ୟସୁବିଧାରୁ ବଞ୍ଚିତ ହେଉଛନ୍ତି । ଯାହାର ଉଦାହରଣ ହେଉଛି ଜି.ଉଦୟଗିରି ବ୍ଳକର ତଲାରିମାହା ଗ୍ରାମର ମହାଜନ ଚନ୍ଦନଙ୍କ ଦୁଇବର୍ଷର ଶିଶୁ ରୁଷି ଚନ୍ଦନ । ହୀରାଞ୍ଚଳରେ ଖବର ପ୍ରସାରଣ ପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର ହୋଇଛି ଏବଂ ଅସହାୟ ଶିଶୁଟିର ଉଚ୍ଚସ୍ତରୀୟ ଚିକିତ୍ସା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରିବାକୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପ୍ରତ୍ୟେକ ସାହିରେ ରହି କାମ କରୁଥିବା ବେଳେ ଅତିଶୟ ଗୁରୁତର ରୋଗୀମାନଙ୍କ ବିଷୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ନରହିବା ଦୁଃଖର ବିଷୟ । ଏହା ବ୍ୟତୀତ ମଝିରେ ମଝିରେ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଗୁରୁତର ରୋଗୀମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥାନ୍ତି । ଶିଶୁ ମାନଙ୍କ ଚିକିତ୍ସା ପାଇଁ ବାଲ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କରାଯାଉଛି । ପ୍ରତ୍ୟେକଦିନ ହାରାହାରି ଭାବେ ୫ଜଣ ସ୍ୱାସ୍ଥ୍ୟ ଅଧିକାରୀ ଜିଲ୍ଳାର ବିଭିନ୍ନ ମେଡିକାଲ ଓ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସେବା ଅନୁଧ୍ୟାନ ପାଇଁ ପରିଦର୍ଶନରେ ଯାଇଥାନ୍ତି । ଏସବୁ ସତ୍ତେ୍ୱ ପ୍ରତିଦିନ ସ୍ୱାସ୍ଥ୍ୟ ସେବା ପାଇବାରେ ବିଫଳ ହୋଇଥିବା ରୋଗୀମାନଙ୍କ ସମ୍ପର୍କରେ ଖବରକାଗଜ ଓ ଟିଭିର ପୃଷ୍ଠା ମଣ୍ଡନ କରୁଛି । ସେ ଯାହା ହେଉ ତଲାରିମାହାର ମୁଲଲାଗି ଚଳୁଥିବା ମହାଜନ ଚନ୍ଦନର ପୁୃଅ ରୁଷିର ଚିକିତ୍ସାପାଇଁ ସରକାର ୫୦୦ଟଙ୍କା ଭତ୍ତା ଓ ବିକଳାଙ୍ଗ ପ୍ରମାଣପତ୍ର ପ୍ରଦାନ କରିଥିଲେ ସୁଦ୍ଧା ପିଲାଟିର ସ୍ୱାସ୍ଥ୍ୟସେବାକୁ ଉଚ୍ଚସ୍ତରୀୟ ଚିକିତ୍ସାର ଆବଶ୍ୟକତା ରହିଥିବା ଯୋଗୁଁ ବର୍ତ୍ତମାନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିବାରୁ ଋଷିର ଚିକିତ୍ସା ହୋଇପାରିବ ବୋଲି ତାର ବାପା ମାଆ ଆଶା ପୋଷଣ କରିଛନ୍ତି । ଏଥି ସହିତ ସେମାନେ ହୀରାଞ୍ଚଳ ଖବର କାଗଜକୁ ଧନ୍ୟବାଦ ଜଣାଇଛନ୍ତି । ଫୁଲବାଣୀ ବାଲ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ମୁଖ୍ୟଚିକିତ୍ସା ଅଧିକାରୀ ତୁରନ୍ତ ଶିଶୁଟିର ଚିକିତ୍ସାପାଇଁ ଉଚ୍ଚସ୍ତରୀୟ ପଦକ୍ଷେପ ନେବେ ବୋଲି ଶିଶୁଟିର ପରିବାର ଆଶାକରିଛନ୍ତି ।

Comments (0)
Add Comment