କନ୍ଧମାଳରେ ଗଡ଼ିଲା କିଶୋରୀ ସ୍ୱାସ୍ଥ୍ୟ ସଚେତନତା ରଥ

ଫୁଲବାଣୀ,୨୬/୨:- କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ, ଅଧିକାର ସମ୍ବନ୍ଧୀୟ ସଚେତନତା ନିମନ୍ତେ ଆନ୍ତର୍ଜାତୀୟ ସଂସ୍ଥା ସେଭ ଦି ଚିଲଡ୍ରେନ ତରଫରୁ ଆଜି ଏକ ସଚେତନତା ରଥର ଶୁଭାରମ୍ଭ ଡାକ୍ତର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା କରାଯାଇଅଛି । ଏହି ସଚେତନତା ରଥରେ ମୁଖ୍ୟତଃ ମାସିକ ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନତା, ସ୍ୟାନିଟାରି ନାପକିନର ସଠିକ ବ୍ୟବହାର ଆଦି ବିଷୟରେ ଚିତ୍ର ମାଧ୍ୟମରେ କିଶୋରୀମାନଙ୍କୁ ସଚେତନ କରିବା ନିମନ୍ତେ ପ୍ରୟାସ କରାଯାଇଅଛି । କିଶୋରୀ ମାନଙ୍କର ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହିତ କିଶୋରୀ ମାନଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କିଶୋରୀ ତଥା ଜନସାଧାରଣଙ୍କୁ ଅବଗତ ନିମନ୍ତେ ଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରାଯିବ । ଏଥିସହିତ କିଶୋରୀ ବାଳିକା ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଶ୍ରଦ୍ଧା କ୍ଲିନିକର ସେବା ସବୁ କିଶୋରୀ ବାଳିକାମାନେ କିଭଳି ପାଇପାରିବେ ସେଥିନିମନ୍ତେ ସଚେତନ କରାଯିବ । ତତ୍‌ସହିତ ବର୍ତ୍ତମାନର କୋରୋନା ମହାମାରୀ ସମୟରେ ସାବୁନରେ ସଠିକ ଉପାୟରେ ହାତ ଧୋଇବାର ପ୍ରକ୍ରିୟାକୁ ଓ ସାବୁନରେ ହାତ ଧୋଇବାର ଅଭ୍ୟାସ ନିମନ୍ତେ ମଧ୍ୟ ସଚେତନତା ସୃଷ୍ଟି କରିବା ନିମନ୍ତେ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରାଯାଇଅଛି । ଏହି ସ୍ୱାସ୍ଥ୍ୟ ସଚେତନା ରଥ ମୁଖ୍ୟତଃ କ.ନୂଆଗାଁ ବ୍ଳକରେ ୨୫ ଦିନ ଧରି ବିଭିନ୍ନ ଗ୍ରାମ ବୁଲି କିଶୋରୀ ବାଳିକା ତଥା ସେମାନଙ୍କ ଅଭିିଭାବକ ମାନଙ୍କୁ ସଚେତନ କରିବ ବୋଲି ସେଭ ଦି ଚିଲଡ୍ରେନର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ ମିଶ୍ର କହିଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ମନୋରଞ୍ଜନ ସାହୁ, ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଡେପୁଟି ମ୍ୟାନେଜର ସୁଧାଂଶୁ ଶେଖର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment