ଫୁଲବାଣୀ,୧୧/୧୧- ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି ।
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାର ସହରାଂଚଳ ଓ ଗ୍ରାମାଞ୍ଚଳ ରେ ଥିବା ଦଶ ଗୋଟି ବାଳକ ଓ ବାଳିକା ହାଇ ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରିଛନ୍ତି । ଗୁରୁବାର ଅପରାହ୍ନ ୪:୩୦ ମିନିଟରେ ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସବୁ ଦଶଟି ଯାକ ହାଇସ୍କୂଲକୁ ଉଦଘାଟନ କରିଛନ୍ତି । ଏଥିପାଇଁ ଗାର୍ଲସ ହାଇସ୍କୂଲ ଠାରେ ଉଦଘାଟନୀ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତପ୍ରକାର ଆୟୋଜନ କରାଯାଇଥିଲା । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜ଼ିଲ୍ଲାପାଳ ଡ଼. ବୃନ୍ଦା ଡି, ପ୍ରକଳ୍ପ ର୍ନିେଶକ ଡି ଆର ଡି ଏ ବିଶ୍ୱରଂଜନ ନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଯେ, ମୋ ସ୍କୁଲ ଅଭିଯାନରେ ମଡେଲ ସ୍କୁଲ ଭାବରେ ଏହାକୁ ସଜାଯାଇଛି । ସ୍ମାର୍ଟ କ୍ଲାସରୁମରେ ପାଠପଢାକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି ଛାତ୍ରଛାତ୍ରୀ । ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର କୋଟି କୋଟି ଟଙ୍କା ଅର୍ଥ ଅନୁଦାନ ଯୋଗେଇ ଦେଇଥିଲେ । ଜ଼ିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଫୁଲବାଣୀର ଏ ଜେ ଓ ହାଇସ୍କୂଲ ଓ ଗାର୍ଲସ ହାଇସ୍କୂଲର ଆଧୁନିକୀକରଣ କାର୍ଯ୍ୟ ମ୍ୟୁନିସପାଲିଟି ଓ ଫୁଲବାଣୀ ବ୍ଲକ ସୁନ୍ଦର ଓ ଉନ୍ନତ ମାନର କରିଥିବା ବେଳେ ଅନ୍ୟସ୍କୂଲ କାର୍ଯ୍ୟ ସବୁ ସମ୍ପୃକ୍ତ ଅଞ୍ଚଳ ର ବ୍ଲକ କର୍ତ୍ତୃପକ୍ଷ କରିଛନ୍ତି । ସରକାରୀ ସ୍କୁଲଗୁଡିକରେ ଏଭଳି ଆଧୁନିକୀକରଣକୁ ନେଇ ସମସ୍ତେ ଉତ୍ସାହିତ ଥିବାବେଳେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ଭୁରି ଭୁରି ପ୍ରଶଂସା କରିଛନ୍ତି ବହୁ ଅଭିଭାବକ । ଗୁରୁବାର ଦିନ ଭରଚୁଆଲ ମାଧ୍ୟମ ରେ କନ୍ଧମାଳ ଜ଼ିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଏହି ଦଶଟି ସ୍ମାର୍ଟ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।