ଫୁଲବାଣୀରେ ଚଳିତ ବର୍ଷର ପ୍ରଥମ ତୁଷାରପାତ

ଫୁଲବାଣୀ,୨୧/୧୨: କନ୍ଧମାଳ ଜିଲ୍ଲାରେ ଶୀତର ଲହରୀ ଦିନକୁ ଦିନ ବଢିବାରେ ଲାଗିଛି । ଲଗାତାର ଭାବରେ ଦୁଇଦିନ ହେଲା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓ ଫୁଲବାଣୀ ଅଂଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଥିବା ବେଳେ ଫୁଲବାଣୀର ରୁଜାଙ୍ଗି ଅଞ୍ଚଳରେ ଆଜି ତୁଷାରପାତ ଦେଖିବାକୁ ମିଳିଛି । ଗତକାଲି ଫୁଲବାଣୀରେ ତାପମାତ୍ରା ୬.୫ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡିରେ ୪ ଡିଗ୍ରୀ ତାପମାତ୍ରା ରହିଥିଲା ।

ସେହିଭଳି ଆଜି ଫୁଲବାଣୀରେ ୪ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦାରିଙ୍ଗବାଡିରେ ୩.୫ ଡିଗ୍ରୀ ତାପମାତ୍ରା ରହିଛି । ପୁରା କନ୍ଧମାଳ ଜିଲ୍ଲାରେ ଜାଡ ଶୀତର ପ୍ରକୋପ ଦେଖିବାକୁ ମିଳୁଛି । ସକାଳ ନଅଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଶୀତର ପ୍ରଭାବରେ ଲୋକଙ୍କ ଦୈନଦିନ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଦିନ ମଜୁରିଆମାନେ ସକାଳ ୮ଟା ପରିବର୍ତ୍ତେ ସକାଳ ଦଶଟା ବେଳେ ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରୁଛନ୍ତି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆହୁରି ଦୁଇରୁ ତିନିଦିନ ଶୀତର ପ୍ରକୋପ ଦେଖିବାକୁ ମିଳିବ ।

Comments (0)
Add Comment