ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ

ଫୁଲବାଣୀ,୨୨/୧:- ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ପାହାଡ ସୁଡ୍ରୁକୁମ୍ପା ଠାରେ ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆବାହକ ଅଶୋକ ପରିଡା ନବବର୍ଷର ସ୍ୱାଗତ ଜଣାଇ ଶୁଭେଛା ଜଣାଇଥିଲେ । ପିଏଜିର କୋଷାଧ୍ୟକ୍ଷ ସ୍ୱର୍ଗତ ରବିନ୍ଦ୍ର କୁମାର ସାହୁଙ୍କ ସମେତ ଏସଏଫଡିସିର ବିଜୟ ସିଂ,ନୀପଡିତର ପୂର୍ବତନ କର୍ମୀ ପ୍ରତାପ କୁମାର ମୁଦୁଲି, ଡଃ ଏମ ଏନ ବେଗ, ରାଜେନ୍ଦ୍ର କୋକଚା, ଡଃ ଏସ ଏନ ସୁବାରାଓ, ମନୋରମା ମହାପାତ୍ର ଏବଂ ବିପ୍ରଚରଣ ପଟ୍ଟନାୟକ, ମିହର ଦାସଙ୍କ ର ଇତି ମଧ୍ୟରେ ଦେହାନ୍ତ ହୋଇଯାଇଥିବାରୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ଅମର ଆତ୍ମାର ସଦଗତି କାମନାକରି ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସରକାରଙ୍କ ସମାଜସେବା ଅନୁଷ୍ଠାନ ବିରୋଧୀ ମନୋଭାବରେ ପରିବର୍ତ୍ତନ ହେବା ଆବଶ୍ୟକ । ଦେଶ ବଜେଟର ଦେଢ ପ୍ରତିଶତ ପ୍ରାୟ ଅର୍ଥ ସ୍ୱେଛାସେବୀ ଅନୁଷ୍ଠାନମାନେ ପାଇ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥାନ୍ତି । ବିନା ଡାକରାରେ ବିନା ବଜେଟରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟରେ ନିଜକୁ ବାଜି ଲଗାଇ ପହଞ୍ଚି ସମାଜରେ ସୁଧାର ଆଣିବାରେ ଲାଗିଥାନ୍ତି । କେତେକ ସ୍ୱେଚ୍ଛାସେବକ ସମାଜ ସେବା ପାଇଁ ବାହାରିଥାନ୍ତି । ସେମାନେ ସରକାରଙ୍କ ଉପରେ ନିର୍ଭର କରନ୍ତି ନାହିଁ । ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକୁ ପରାମର୍ଶ ଦେଇ ସୁଧାର ଆଣିଥାନ୍ତି । କୌଣସି ମଡେଲ କାର୍ଯ୍ୟ ପାଇଁ ଅନୁଦାନ ପାଇଲେ ବିଭିନ୍ନ ସ୍ତରରେ ବିଭିନ୍ନ ଧରଣର ତଦାରଖ ବ୍ୟବସ୍ଥା ରହିଛି । ସମାଜସେବା କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ସରକାର ସକାରାତ୍ମକ ମନୋଭାବ ନେଲେ ସମାଜରେ ଅନ୍ୟାୟ ଦୁର୍ନୀତି, ଶୋଷଣ ଲୁଟତରାଜ ନିୟନ୍ତ୍ରଣ ହୋଇ ସୁସ୍ଥ ସମାଜ ଗଠନ ହୋଇପାରିବ । କରୋନା ନ ବ୍ୟାପିବାକୁ ନିଜନିଜ ସ୍ତରରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ଏଥିସହିତ ମନରେଗାରେ କାମ କରି ମାସ ମାସ ବର୍ଷ ବର୍ଷ ମଜୁରୀ ପାଉନଥିବାରୁ ଉଦବେଗ ପ୍ରକାଶ ପାଇଥିଲା । ମନରେଗା ସମସ୍ୟା ଉପରେ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିଆଯାଇଥିବା ନିଷ୍ପତ୍ତି ଉପରେ ସୂଚନା ଦିଆଗଲା । ପିଏଜିର ମାର୍ଗଦର୍ଶକ ରାମଚନ୍ଦ୍ର ଦାସଙ୍କ ସହିତ ଉପସଭାପତି ସୁକାନ୍ତ ନାୟକ, ପ୍ରଦୀପ ଦାସ, ହରିଶଙ୍କର ରାଉତ, ଲିଙ୍ଗରାଜ ପ୍ରଧାନ, ଶଶାଙ୍କ ଶେଖର ସାହୁ, ବରଦା ପ୍ରସନ୍ନ ନାୟକ ପ୍ରମୁଖ ସଦସ୍ୟ ଅନୁଷ୍ଠାନମାନେ ଯୋଗଦାନ କରିଥିଲେ । ଶେଷରେ ଆହେଡର ସଂପାଦକ ରାଜୀବ କୁମାର ମିଶ୍ର ଆତିଥେୟତା କରିଥିବା ପାହାଡ ଅନୁଷ୍ଠାନର ପଞ୍ଚାନନ ମିଶ୍ର ସମେତ କର୍ମକର୍ତ୍ତା ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment