ଫୁଲବାଣୀ/ଦାରିଙ୍ଗବାଡି,୨୬/୪ – ବିଜୁ ଜନତା ଦଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ଗତକାଲି ସେ ନିଜର ଶରୀର ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମେଡିକାଲରେ ଭର୍ତ୍ତି ହେବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ତାଙ୍କଠାରେ କୋରନା ଲକ୍ଷଣ ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତିର୍ି କରାଯାଇଥିଲା । ସ୍ୱର୍ଗତ ସାଂସଦ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ଥିଲେ । ସେ ଫୁଲବାଣୀରେ ଚେୟାରମ୍ୟାନ ଓ ସାଂସଦ ଥିବା ସମୟରେ ଫୁଲବାଣୀ ସହରର ବହୁ ଉନୟନ କାର୍ଯ୍ୟ ହୋଇପାରିଥିଲା । ଏଥିସହିତ ଫୁଲବାଣୀ ନାରାୟଣୀ ଯାତ୍ରା କମିଟିର ଉପଦେଷ୍ଟା ଭାବରେ ରହି ଆସୁଥିଲେ । ଶ୍ରୀ ସିଂଙ୍କ ମୃତ୍ୟୁରେ ବର୍ତ୍ତମାନର ସାଂସଦ ଡ. ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ଅଙ୍ଗଦ କହଁର, ସାଲୁକା ପ୍ରଧାନ, ଚକ୍ରମଣି କହଁର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ବିଜେଡ଼ି ଯୁବଛାତ୍ର ସଭାପତି ସୁନୀଲ ସେଠୀ, ନାରୀନେତ୍ରୀ ଅନିମା କହଁର, ପୂର୍ବତନ ପୌରାଧ୍ୟକ୍ଷ ରାଜେନ୍ଦ୍ର କହଁର, ଯାତ୍ରା କମିଟିର ସଭାପତି ଅଶୋକ ପଟ୍ଟନାୟକ, ସମ୍ପାଦକ ତପନ ପାତ୍ର, ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ସତ୍ୟ ନାରାୟଣ ବେହେରା, ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଅଶୋକ ମହାନ୍ତି, ଜୟସେନ ପରିଡ଼ା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରମେଶ ପ୍ରଧାନ,ଶିବ ବିଶ୍ୱାଳ,ପ୍ରଶାନ୍ତ ଜେନା ଓ ସୂର୍ଯ୍ୟ ବେହେରା ପ୍ରମୁଖ ଶୋକବ୍ୟକ୍ତ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଛନ୍ତି । ଶ୍ରୀ ସିଂଙ୍କ ମୃତ୍ୟୁ ଖବର ଶୁଣିବାପରେ କନ୍ଧମାଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ସିଂଙ୍କର ନିଜ ଘର ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ଗ୍ରାମରେ ହୋଇଥିବାବେଳେ ସେ ବହୁ ସମୟରେ ଭୁବନେଶ୍ୱରରେ ହିଁ ରହି ଆସୁଥିଲେ । ତାଙ୍କ ଅକାଳ ବିୟୋଗରେ ଦାରିଙ୍ଗବାଡ଼ି ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।