ବିଜେପି ଅନୁସୁଚିତ ଜାତିମୋର୍ଚ୍ଚାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଫୁଲବାଣୀ,୧୧/୮- କନ୍ଧମାଳ ଜିଲ୍ଲା ବିଜେପି ଅନୁସୁଚିତ ଜାତିମୋର୍ଚ୍ଚା ସଭାପତି ଅନନ୍ତ କୁମାର ଦିଗାଲଙ୍କ ନେତୃତ୍ୱରେ ଆଜି ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବାଳକାଠିରେ ଯେଉଁଭଳି ଭାବେ ଦଳିତ ପରିବାର ଉପରେ ମରଣାନ୍ତକ ଆକ୍ରମଣ ଏବଂ ମନରେଗା ଅର୍ଥ ଠିକ୍‌ ରେ ନପାଇ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଅନଶନରେ ବସିଥିବା ମହିଳା ମାନଙ୍କୁ ଆକ୍ରମଣ ସହ ସମ୍ବିଧାନର ପ୍ରଣେତା ଡ ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ପଦାଘାତ କରାଗଲା ସେନେଇ ପୋଲିସ ବିଜୁଜନତା ଦଳର ନେତାଙ୍କ ସହଯୋଗୀ ତଥା ଆକ୍ରମଣ କାରୀଙ୍କୁ ଏଯାଏଁ ଗିରଫ କରିନଥିବା ଅଭିଯୋଗ କରି ଅନୁସୁଚିତ ଜାତିମୋର୍ଚ୍ଚା ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ସେହିଭଳି କନ୍ଧମାଳ ଜିଲ୍ଲାରେ ବ୍ୟାପକ ଆବାସ ଯୋଜନା ଦୁର୍ନିତୀ, ମନରେଗା କାର୍ଯ୍ୟ ଶ୍ରମିକ ବଦଳରେ ମେସିନ କାମ କରୁଥିବା ଏବଂ ବ୍ୟାପକ ଦୁର୍ନୀତି ସରକାରୀ ସ୍ତରରେ ହେଉଥିବା ଅଭିଯୋଗର ପ୍ରମାଣ ଆଦି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାରେ ଜନସଂଖ୍ୟାର ଅର୍ଦ୍ଧାଧିକ କେବଳ ଆଦୀବାସୀ ଏବଂ ଦଳିତ ପରିବାର ବସବାସ କରୁଥିବାବେଳେ ଜିଲ୍ଲାର ତିନୋଟି ବିଧାନସଭା ଆସନ ଏବଂ ଲୋକସଭା ଆସନରେ ବିଜୁଜନତା ଦଳକୁ ବିଜୟୀ କରିବାରେ ସେମାନଙ୍କ ପ୍ରମୁଖ ଭୂମିକା ରହିଥିବା ଏଯାଏଁ କିନ୍ତୁ କନ୍ଧମାଳ ଜିଲ୍ଲାର ଆଦୀବାସୀ ଏବଂ ଅନୁସୂଚୀତ ଜାତି ପରିବାରର କୌଣସି ସର୍ବାଙ୍ଗୀନ ବିକାଶ ହୋଇପାରୁନାହଁ ବୋଲି ସଭାପତି ଶ୍ରୀ ଦିଗାଲ କହିଥିଲେ । ସେହିଭଳି କନ୍ଧମାଳ ଜିଲ୍ଲା ଅନୁସୁଚିତ ଜାତିମୋର୍ଚ୍ଚା ପ୍ରଭାରୀ ସୁକାନ୍ତ ଦାସ କାର୍ଯ୍ୟକ୍ରମରେ ଯୋଗଦାନ କରି ବିଜୁଜନତା ଦଳ ଉପରେ ବର୍ଷିଥିଲେ । ତାଙ୍କର ଅଭିଯୋଗ ଯେ କେନ୍ଦ୍ର ସରକାର ଓଡ଼ିଆଙ୍କ ବିକାଶ ପାଇଁ ଓଡ଼ିଶାକୁ ହଜାର ହଜାର କୋଟି ଟଙ୍କା ମନରେଗା ଯୋଜନାରେ ଦେଉଥିବାବେଳେ ଏଠି କିନ୍ତୁ ସରକାରୀ କଳ ଏବଂ ବିଜୁଜନତା ଦଳ ସେସବୁ ଅର୍ଥକୁ ହରିଲୁଟ କରୁଥିବା ଅଭିଯୋଗ କରିଥିଲେ । ସେହିଭଳି ରାଜ୍ୟର ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଦଳିତ ପରିବାର ଉପରେ ଆକ୍ରମଣ ସହ ସାରା ରାଜ୍ୟରେ ବର୍ତ୍ତମାନ ବିଜୁଜନତା ଦଳ ର କର୍ମୀମାନେ ଦଳିତ ପରିବାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି, କିନ୍ତୁ ଗୃହବିଭାଗର ମୁଖ୍ୟ ନବୀନବାବୁ ଏସବୁ ଦେଖି ଚୁପ୍‌ ରହିବା ଏବଂ ପୋଲିସ ବିଜୁଜନତା ଦଳର ଗୁଣ୍ଡାମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଥିଲେ । ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଲିଙ୍ଗରାଜ ଦଳବେହେରା, ଦେବ ନାରାୟଣ ପ୍ରଧାନ, ଜିଲ୍ଲା ଉପସଭାପତି ରମେଶଚନ୍ଦ୍ର ମହାନ୍ତି, ଅନୁସୂଚୀତ ଜାତିମୋର୍ଚ୍ଚା ସାଧାରଣ ସମ୍ପାଦକ ଲୁଲୁ ବେହେରା, ଜିଲ୍ଲା ସଂପାଦକ ଦେବରାଜ ମୁଖି, ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର,ସଂଯୋଜକ ଜଗନ୍ନାଥ ସାହୁ, ଗ୍ରାମୀଣ ମଣ୍ଡଳ ସଭାପତି ଆଦିତ୍ୟ କହଁର, ଖଜୁରୀପଡା ମଣ୍ଡଳ ସଭାପତି ଦଶରଥ ସାହୁ, ଫୁଲବାଣୀ ନଗର ସଭାପତି ସୁଶାନ୍ତ ମହାନ୍ତି, ମାମିବେହେରାଙ୍କ ସହ ଅନୁସୁଚୀତ ଜାତିମୋର୍ଚ୍ଚାର ବହୁ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

Comments (0)
Add Comment