ଫୁଲବାଣୀ ,୨୮/୬- ରାଜ୍ୟର ଜଣେ ଆଗଧାଡିର ବରିଷ୍ଠ ସାମ୍ବାଦିକ ଡକ୍ଟର ଜୀମୁତ ମଙ୍ଗରାଜଙ୍କ ରବିବାର ସଂଧ୍ୟାରେ ଖୋର୍ଦ୍ଧା ଜାଆଁଳ ନିକଟରେ ସଡକ ଦୁର୍ଘଟଣାରେ ପରଲୋକ ହୋଇଥିବା ନେଇ ଖବର ମିଳିବାପରେ ରାଜ୍ୟରେ ସାମ୍ବାଦିକମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡିଆ ଆସୋସିଏସନ ପକ୍ଷରୁ ଫୁଲବାଣୀ ସ୍ଥିତ ପ୍ରେସକ୍କବରେ ଏକ ଶୋକସଭାର ଆୟୋଜନ କରାଯାଇ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଶୋକ ସଭାରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ତାପରେ ଆସୋସିଏସନର ସଭାପତି ସୁଜିତ ବେହେରାଙ୍କ ସଭାପତିତ୍ୱରେ ଶୋକସଭା ଆରମ୍ଭ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ସଦାଶିବ ପାତ୍ର, ଅଜିତ ମହାରଣା, ରାକେଶ ରାଉତ, ସଂପାଦକ ତ୍ରିନାଥ ସାହୁ, କୋଷାଧକ୍ଷ ସୁନୀଲ ବିଶ୍ୱାଳ ଓ ପ୍ରଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏବଂ ସ୍ୱର୍ଗତ ଜୀମୂତ ମଙ୍ଗରାଜ ଜଣେ ବିଜ୍ଞ, ସଚ୍ଚୋଟ, ଦକ୍ଷ ଏବଂ ନିରପେକ୍ଷ ସାମ୍ୱାଦିକ ଥିଲେ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆତ୍ମଜୀବନୀ ସଂପର୍କରେ ତଥ୍ୟ ମୂଳକ ପୁସ୍ତକ ଲେଖିଥିଲେ ।ଏଥି ସହିତ ଏକ ରାଜନୈତିକ ସମାଲୋଚନାମୂଳକ ସାପ୍ତାହିକ ସମ୍ବାଦପତ୍ର “ନେତା’ର ସଂପାଦକ ଥିଲେ । ସେହିପରି ଜଣେ ଉଚ୍ଚକୋଟୀର ରାଜନୈତିକ ବିଶ୍ଳେଷକ ମଧ୍ୟ ଥିଲେ । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ସହ ବହୁ ସଂଗଠନ ସହ ଜଡିତ ଥିଲେ । ତାଙ୍କର ଏହି ଅକାଳ ବିୟୋଗ ଯୋଗୁଁ ରାଜ୍ୟର ମିଡ଼ିଆ ଜଗତର ଏକ ଅପୂରଣୀୟ କ୍ଷତି ଘଟିଛି । ତେବେ ପୂର୍ବରୁ ସ୍ୱର୍ଗତ ମଙ୍ଗରାଜଙ୍କ ଧର୍ମପତ୍ନୀଙ୍କ ମଧ୍ୟ ବିୟୋଗ ହୋଇଯାଇଥିଲା । ଆଉ ତାଙ୍କର ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଛି, ଏଭଳିସ୍ଥଳେ ତାଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ଯେଉଁମାନେ ଏକ ପ୍ରକାର ଅନାଥ ହୋଇଯାଇଛନ୍ତି । ତେଣୁ ସରକାର ସେମାନଙ୍କ ସଂପୂର୍ଣ୍ଣ ଦାୟିତ୍ୱ ନେବା ସହିତ, ତାଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଏବଂ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଏକ ନିବେଦନ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ବୋଲି ନିଷ୍ପତି ହୋଇଛି ।