ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ, ପାସ୍ କରିଛନ୍ତି ଏତିକି

ଭୁବନେଶ୍ବର ୨୦।୧୧ : ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତବର୍ଷର ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫଳ ପ୍ରକାଶ କରାଯାଇଛି । ଚଳିତବର୍ଷ ଅଫଲାଇନ୍ ପରୀକ୍ଷାରେ ୬୮.୬୬ ପ୍ରତିଶତ ପାସ୍ ହାର ରହିଛି । ମୋଟ୍ ୮ ହଜାର ୪୬୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଳାରେ ମୋଟ୍ ପାସ୍ ହାର ୭୦.୬୨, ବାଣିଜ୍ୟରେ ୬୮.୬୧, ବିଜ୍ଞାନରେ ୬୪.୩୯ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫୧.୫୯ ପ୍ରତିଶତ ରହିଛି । କଳାରେ ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ତୁଳନାରେ ସର୍ବାଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୬୮.୫୨ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୬୨.୯୦ ପ୍ରତିଶତ ରହିଛି । ବିଜ୍ଞାନରେ ଛାତ୍ରୀଙ୍କ ପାସ୍‌ ହାର ୬୭.୭୩ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୬୨.୪୪ ପ୍ରତିଶତ ରହିଛି । ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୬୮.୫୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୬ ପ୍ରତିଶତ ରହିଛି । ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୫୨.୮୪ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୫୦.୭୫ ରହିଛି । ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅକ୍ଟୋବରରେ ଅଫ୍‌ଲାଇନ୍ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଅଂଶଗ୍ରହଣ ପାଇଁ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ । କଳାରେ ସର୍ବାଧିକ ୮୯୯୧ ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ୨୩୩୧, ବାଣିଜ୍ୟରେ ୬୧୭ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୬୧୭ ଜଣ ପରୀକ୍ଷା ଦେଇଥିଲେ । ଅକ୍ଟୋବର ୧୧ ରେ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଖାତା ମୂଲ୍ୟାୟନରେ ବିଳମ୍ବ ହୋଇଥିଲା ।

Comments (0)
Add Comment