ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା : ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ପୋଲିସଙ୍କୁ ମାଡ

ନବରଙ୍ଗପୁର: ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝରିଗୁଡା ଗ୍ରାମରେ ମହିଳାଙ୍କ ଆତ୍ମହତ୍ୟାକୁ କେନ୍ଦ୍ର କରି ଉତ୍ତେଜନା ଦେଖା ଦେଇଛି । ଏହାକୁ ହତ୍ୟା ସନ୍ଦେହ କରି ଗ୍ରାମବାସୀ ଉତ୍ତେଜିତ ହୋଇ ପଡିଛନ୍ତି । ସୂଚନାଯୋଗ୍ୟ ଡାବୁଗାଁ ଥାନା ପୂଜାରୀଗୁଡା ଲଛମୀ ପନକାଙ୍କ ଝିଅ ଭଦ୍ରିକା ପନକା(୨୪) ଝରିଗୁଡା ଗ୍ରାମର ସୁଶୀଲ ନାଗଙ୍କ ସହ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସୋମବାର ସନ୍ଧ୍ୟାରେ ମୃତକର ପିତା ତାଙ୍କ ଝିଅର ଦୁର୍ଘଟଣା ହୋଇଥିବା ଖବର ପାଇ ସଙ୍ଗେ ସଙ୍ଗେ ଝରିଗୁଡା ଗ୍ରାମର ସୁଶୀଲ ନାଗଙ୍କ ଘରେ ପହଞ୍ଚି ଦେଖିଥିଲେ ଯେ ତାଙ୍କ ଝିଅ ନିଜ ଶାଢୀ ବେକରେ ବାନ୍ଧି ତଳେ ମରି ପଡିଥିଲା । ଏନେଇ ମଙ୍ଗଳବାର ସକାଳ ୧୦ ଘ. ରେ ମୃତକର ପିତା ଲଛମୀ ଡାବୁଗାଁ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା, ସବଇନିସ୍ପେକ୍ଟର କୁଳଭୂଷଣ ନାୟକ ଓ ମେନକା ସା, ଏଏସଆଇ ଶିଶିର କାନ୍ତ ଘୋଷ ଓ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଝରିଗାଁ ତହସିଲଦାର ରୁଷିକେଶ ଗଣ୍ଡ ପହଞ୍ଚିବା ପରେ ଶବକୁ ପଞ୍ଚନାମା କରିଥିଲେ । ପରେ ଉମରକୋଟ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ଝିଅର ପରିବାର ଲୋକେ ସୁଶୀଲ ନାଗକୁ ଗିରଫ ନକରିବା ପର୍ଯ୍ୟନ୍ତ ଶବ ଛାଡିବୁ ନାହିଁ ବୋଲି ଦାବି କରିଥିଲେ । ପୋଲିସ ଏନ୍ୟ ଏକ ଘର ମଧ୍ୟରୁ ସୁଶୀଲ ନାଗକୁ ଉଦ୍ଧାର କରି ଥାନାକୁ ପଠାଇବା ସମୟରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତକୁ ମାରିବା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । ଏହାସହ ଲୋକେ ମହିଳା ଅଧିକାରୀଙ୍କ ସହ ମଧ୍ୟ ଖରାପ ବ୍ୟବହାର କରିଥିଲେ । ପରେ ପୋଲିସକୁ ଲୋକେ ଅଟକ ରଖିଥିଲେ କିନ୍ତୁ ପୋଲିସ କୌଶଳ କ୍ରମେ ସେଠାରୁ ଖସି ଥାନାକୁ ଆସିଥିଲେ । ପରେ ଥାନା ଅଧିକାରୀ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧ୍ୟାରେ ଶବକୁ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏନେଇ ଥାନା କେଶ ନଂ ୧୧୯/୨୨ ରେ ଏକ ମାମଲା ରୁଜୁ ହୋଇଛି ।

Comments (0)
Add Comment