ବୌଦ୍ଧ/ଜହ୍ନାପଙ୍କ,୩/୫(ହୀ.ପ୍ର)- ଆଜି ଭୋର୍ ସମୟରେ ଗୁଜୁରାଟ ରାଜ୍ୟର ସୁରଟରୁ ଏକ ବସ୍ଯୋଗେ ଆସି ଜାତୀୟ ରାଜପଥ ନଂ୫୭ର ଜହ୍ନାପଙ୍କ ଠାରେ ୨୦ଜଣ ଶ୍ରମିକ ଓହ୍ଲାଇଥିଲେ । ସେଠାରୁ ୧୫ଜଣ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଗତୀ ସଙ୍ଗରୋଧ କେନ୍ଦ୍ରକୁ ଯାଇଥିବାବେଳେ ୪ଜଣ ତେଲିବନ୍ଧ ଓ ଜଣେ ତାଳସରଡା ଗ୍ରାମପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ଯାଇଥିବା ଜଣାପଡିଛି । କୌତୁହଳର ବିଷୟ ହେଲା ଜହ୍ନାପଙ୍କଠାରୁ ଜଗତୀ ହାଇସ୍କୁଲରେ ନିର୍ମିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରର ଦୂରତା ୨କି.ମି ହୋଇଥିବାବେଳେ ତେଲିବନ୍ଧ କେନ୍ଦ୍ର ହେଉଛି ୩କି.ମି ଓ ତାଳସରଡା ହେଉଛି ପ୍ରାୟ ୮ କି.ମି ସୁରଟ ଫେରନ୍ତା ଶ୍ରମିକମାନଙ୍କୁ ଜହ୍ନାପଙ୍କ ଛକରୁ ସଙ୍ଗରୋଧ କେନ୍ଦ୍ର ପର୍ଯ୍ୟନ୍ତ ନେଇଯିବା ପାଇଁ କୌଣସି ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇନଥିଲା ।
ଯଦିଓ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଓ ତେଲିବନ୍ଧ ସରପଞ୍ଚଙ୍କ ପ୍ରତିନିଧି ଜହ୍ନାପଙ୍କ ଛକରେ ଉପସ୍ଥିତ ଥିଲେ ତଥାପି ସେମାନଙ୍କର ସୁରକ୍ଷିତ ପରିବହନ ପାଇଁ କୌଣସି ସୁବିଧା କରାଯାଇନଥିବା ପ୍ରକାଶ କରିଥିଲେ । ଫଳରେ ଶ୍ରମିକମାନେ ଚାଲିଚାଲି ସଙ୍ଗରୋଧ କେନ୍ଦ୍ର ପର୍ଯ୍ୟନ୍ତ ଯିବାପାଇଁ ବାଧ୍ୟ ହୋଇଥିଲେ ।
ବାହାର ରାଜ୍ୟରୁ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଅଞ୍ଚଳକୁ ଫେରୁଥିବା ଶ୍ରମିକମାନଙ୍କୁ କ୍ୱାରେଣ୍ଟାଇନରେ ପହଞ୍ଚାଇବା ଓ ରଖାଯିବା ପାଇଁ ସବୁ ପ୍ରସ୍ତୁତି ହୋଇଥିବା ପ୍ରଶାସନ କହୁଥିଲେ ମଧ୍ୟ ଏକଥାରେ କେତେ ଦମ୍ ଅଛି ତାହା ଆଜି ଦେଖିବାକୁ ମିଳିଥିଲା । ଆଜି ବାହାର ରାଜ୍ୟରୁ ବସ୍ଯୋଗେ ପ୍ରଥମ ପର୍ଯ୍ୟାୟରେ ୨୦ଜଣ ପ୍ରବାସୀ ଫେରିଥିବାବେଳେ ଆଗାମୀଦିନରେ ଶହଶହ ଶ୍ରମିକଙ୍କ ଘରବାହୁଡା ଆରମ୍ଭ ହେବ । କେବଳ କଥାରେ ନକହି ବାସ୍ତବିକ କାର୍ଯ୍ୟରେ ସଜାଗ ରହିବା ସହିତ ଉଚିତ ପଦକ୍ଷେପ ନେଲେ ବୌଦ୍ଧ କରୋନାମୁକ୍ତ ଜିଲ୍ଲାଭାବେ ଗୌରବ ଅର୍ଜନ କରିବ ବୋଲି ବୁଦ୍ଧିଜୀବି ମହଲରେ ଆଶା କରାଯାଉଛି ।